ଏଲଆଇସିର ଅଣୁବୀମା ଯୋଜନା , ଦୈନିକ ୨୮ ଟଙ୍କା ଜମାକରି ପାଆନ୍ତୁ ୨ ଲକ୍ଷ ଟଙ୍କାର ଲାଭ

803

କନକ ବ୍ୟୁରୋ : ଭାରତୀୟ ଜୀବନବୀମା ନିଗମ ସ୍ୱଳ୍ପ ରୋଜଗାରକ୍ଷମ ବ୍ୟକ୍ତିଙ୍କ ପାଇଁ ଅଣୁ ଜୀବନ ବୀମା ପଲିସ୍ ଲଂଚ୍ କରିଛି । ଏହି ଯୋଜନାରେ ଜମାକାରୀଙ୍କୁ ସୁରକ୍ଷା ସହିତ ସଂଚୟର ବି ସୁବିଧା ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ସଂଚୟ କରୁଥିବା ଲୋକଙ୍କର ଆକସ୍ମିକ ମୃତ୍ୟୁ ହେଲେ ଏଲଆଇସି ତରଫରୁ ବୀମା ରାଶି ପ୍ରଦାନ କରାଯିବା ସର ପଲିସି ମ୍ୟାଚୁରୀଟି ସମୟରେ ବୀମା ଧାରକଙ୍କ ପରିବାରକୁ ବି ମ୍ୟାଚୁରିଟି ରାଶି ପ୍ରଦାନ କରାଯାଉଛି ।

ଏହି ପଲିସି ନେଉଥିବା ଲୋକମାନେ ୩ ବର୍ଷ ପ୍ରିମିୟମ ଦେବା ପରେ ସେମାନଙ୍କ ପାଇଁ ଏଲଆଇସି ତରଫରୁ ଋଣ ସୁବିଧା ବି ଯୋଗାଇ ଦିଆଯାଇଥାଏ । ଅନ୍ୟପଟେ ଅନ୍ୟ ପଲିସି ଭଳି ଏହି ପିଲିସିରେ ବୀମା ଧାରକଙ୍କୁ ମେଡିକାଲ ଟେଷ୍ଟ ଦେବାକୁ ହୋଇନଥାଏ । ଏହି ପଲିସି ଏକ ନନ୍ ଲିଙ୍କଡ୍ ପଲିସି ଅଟେ । ଅର୍ଥାତ ମ୍ୟାଚୁରିଟିରେ ବୀମା ଧାରକଙ୍କୁ ମୂଳଜମା ସହ ବୋନସ ମିଳିଥାଏ ।

୧୮ ରୁ ୫୫ ବର୍ଷର ଲୋକମାନେ ଏହି ପଲିସି କିଣିପାରିବେ । କ୍ରମାଗତ ଭାବେ ୩ ବର୍ଷ ଜମା କରିବା ପରେ ଯଦି କୌଣସି କାରଣରୁ ପଲିସି ଧାରକ ପ୍ରିମିୟମ ଜମା କରିନପାରେ ତେବେ ୬ ମାସ ଯାଏଁ ବୀମା ସୁବିଧା ଜାରି ରହିବ । ଏହାସହ ଯଦି କ୍ରମାଗତ ୫ ବର୍ଷ ପଲିସି ରାଶି ଜମା ହୋଇଛି ତେବେ ଅଧିକ ୨ ବର୍ଷ ପାଇଁ ବୀମା ସୁବିଧା ଜାରି ରହିବ । ଏହି ପିଲିସିର ଅବଧି ୧୦ ରୁ ୧୫ ବର୍ଷ (ଏହା ପଲିସି ଧାରକର ବୟସ ଉପରେ ନିର୍ଭର କରେ) । ଏହି ପଲିସିରେ ବି ଜଣେ ଜମାକାରୀ ଆକ୍ସିଡେଣ୍ଟାଲ ରାଇଡର ଯୋଡିପାରିବାର ସୁବିଧା ରହିଛି ।

୧ ହଜାର ବୀମାରାଶି ପାଇଁ ଆପଣଙ୍କୁ ୫୧.୬୦ ଟଙ୍କାରୁ ୫୨.୨୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ । ଅର୍ଥାତ ୧ ଲକ୍ଷ ଟଙ୍କାର ପଲିସି ନେଲେ ଆପଣଙ୍କୁ ବାର୍ଷିକ ୫,୧୬୦ ଟଙ୍କାରୁ ୫,୨୨୦ ପର୍ଯ୍ୟନ୍ତ ଦେବାକୁ ହେବ । ଯଦି ଆପଣ ୨ ଲକ୍ଷ ଟଙ୍କା ବୀମାରାଶିର ପଲିସି ନେଉଛନ୍ତି ତେବେ ଆପଣଙ୍କୁ ବାର୍ଷିକ ହାରାହାରି ୧୦ ହଜାର ଟଙ୍କା ଦେବାକୁ ହେବ । ଏଥିରୁ ସ୍ପଷ୍ଟ ଯେ ଆପଣ ଆପଣଙ୍କ ପରିବାରର ସୁରକ୍ଷା ସହ ସଂଚୟ ଭଳି ଏଲଆଇସିର ଏହି ପିଲିସି ନେବାକୁ ହେଲେ ଦୈନିକ ୨୮ ଟଙ୍କା ଦେବାକୁ ହେବ ।