ଗଂଜାମର କରୋନା ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ : କହିଲେ, ସଂକ୍ରମଣ ଭୟରେ ରୋଗୀଙ୍କୁ ଦେଖୁନାହାନ୍ତି ଏମକେସିଜିର ଡାକ୍ତର; ବରିଷ୍ଠ ଡାକ୍ତର କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

430

କନକ ବ୍ୟୁରୋ : ଗଞ୍ଜାମରେ କରୋନୋ ସ୍ଥିତି ସାଂଘାତିକ ହେଲାଣି । ପରିସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଜିଲ୍ଲାପାଳ, ଏମକେସିଜି ଅଧ୍ୟକ୍ଷ, ପ୍ରଫେସର ଓ ବରିଷ୍ଠ ଅଧିକାରୀ ଉପସ୍ଥିତରେ ଏହି ସମୀକ୍ଷା ହୋଇଛି । ସମୀକ୍ଷା ବେଳେ ଜଣାପଡିଥିଲା, ବଡ ଡାକ୍ତରଖାନାରେ ରୋଗୀମାନଙ୍କ ଚିକିତ୍ସା ବୁଝିବାକୁ ଡାକ୍ତର ଓ ପ୍ରଫେସରମାନେ ଯାଉନାହାନ୍ତି । ଏପରିକି କରୋନା ଭୟରେ ଚିକିତ୍ସା ପାଇଁ ଆସୁଥିବା ଗର୍ଭବତୀ ମହିଳା, ଟ୍ରାମା, ଅସ୍ଥିଶଲ୍ୟ , ସାଧାରଣ ଶଲ୍ୟ ଚିକିତ୍ସା ବିଭାଗରେ ବି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁନି । ଡାଏଲିସସ ୟନିଟ ବି ବନ୍ଦ ରହିଛି । ରୋଗୀଙ୍କ ଟେଲିଫୋନ କଲ ମିଳିବା ପରେ ବି ଜିଲ୍ଲାରେ ୧୦୮ ଓ ୧୦୪ ଆମ୍ବୁଲାନ୍ସ ସେବା ରୋଗୀକୁ ଆଣିବାକୁ ଯାଉନଥିବା ବି ଦେଖିବାକୁ ମିଳିଛି । ପ୍ରଦୀପ୍ତ ମହାପାତ୍ର କହିଥିଲେ, ଏମକେସିଜିର କୋଭିଡ କେୟାର ସେଂଟରରେ ଯେଭଳି କୌଣସି ରୋଗୀଙ୍କ ମୃତ୍ୟୁ ନ ହୁଏ, ସେଥିପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଉଦ୍ୟମ କରିବେ । କରୋନାକୁ ମୁଖ୍ୟମନ୍ତ୍ରୀ ମୋ ସରକାରରେ ସାମିଲ କରିଥିବାରୁ ରୋଗୀଙ୍କ ମତାମତ ନିୟମିତ ଭାବେ ନିଆଯିବ ।

ଏମକେସିଜିର ବରିଷ୍ଠ ଡାକ୍ତର କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବି ପ୍ରଦୀପ୍ତ ମହାପାତ୍ର ଚେତବନୀ ଦେଇଛନ୍ତି । ପ୍ରତ୍ୟେକ ଡାକ୍ତରଖାନାରେ ପରିମଳ ବ୍ୟବସ୍ଥା ସମ୍ପର୍କରେ ରୋଗୀଙ୍କଠାରୁ ମତାମତ ନିଆଯିବ । ସେହିଭଳି ଶୀତଳାପଲ୍ଲୀ କୋଭିଡ ହସପିଟାଲରେ ଅବ୍ୟବସ୍ଥା ଦୂର କରିବାକୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ହସ୍ପିଟାଲ ପାଇଁ ଗଞ୍ଜାମ ସିଡିଏମଓ ୧୦ ଜଣ ବିଶେଷଜ୍ଞ ଡାକ୍ତର ନିୟୋଜିତ କରିବେ । ହଳଦିଆପଦରଠାରେ ଅଶ୍ୱିନୀ ହସ୍ପିଟାଲ ଗ୍ରୁପ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କୋଭିଡ ହସ୍ପିଟାଲକେ ଡାକ୍ତର ନିଯୁକ୍ତ ସୁବିଧା ଉପରେ ବି ବୈଠକରେ ଆଲୋଚନା ହୋଇଛି ।