କନକ ବ୍ୟୁରୋ : ଓଡିଶାର ନାଗପୁର ଭାବେ ପରିଚିତ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ପଂଚାୟତ । ଏଠାରେ ଉତ୍ପାଦିତ କମଳା ହିଁ ଏଠାକାରା ପରିଚୟ । ହେଲେ ଗତ ଲଘୁଚାପ ବର୍ଷା ପରଠାରୁ କମଳା ଚାଷୀଙ୍କ ହୋସ ଉଡାଇ ଦେଇଛି । ବର୍ଷା ମାଡ ଖାଇଥିବା କମଳା ପାକଳ ହେବା ଆଗରୁ ଗଛରୁ ଖସି ପଡୁଛି । ଫଳରେ କମଳା ବଂଚାଇବକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି ।
କମଳା ଚାଷୀଙ୍କୁ କଲବଲ କଲା ବର୍ଷା
ଗଛରୁ ଖସି ପଡୁଛି କ୍ୱିଂଟାଲ କ୍ୱିଂଟାଲ କମଳା
ସହାୟତା ଦେଉନି ଉଦ୍ୟାନ ବିଭାଗ
ରିଆମାଳ ବ୍ଲକ କୁଣ୍ଢେଇଗୋଳା ଅଂଚଳର ଜଳବାୟୁ କମଳା ଚାଷକୁ ବେଶ ସୁଆଏ । ତେଣୁ ଏହି ଅଂଚଳର ହେକ୍ଟର ହେକ୍ଟର ଜମିରେ କମଳା ଚାଷ କରି ଲାଭବାନ ହୁଅନ୍ତି ଚାଷୀ । ହେଲେ ଚଳିତ ବର୍ଷାର ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି । ଗଛରେ ଥିବା କମଳା ବର୍ଷା ମାଡ ଖାଇ ତଳକୁ ଖସି ପଡିଛି । ଅମଳ ସମୟ ଆଗରୁ କମଳା ଖସି ପଡିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡିଛି ।
କୁଣ୍ଢେଇଗୋଳା ପଂଚାୟତର ପ୍ରାୟ ୨୦ରୁ ଅଧିକ ଗାଁରେ କମଳା ଚାଷ ହୋଇଛି । ୫୦ ହେକ୍ଟରରୁ ଅଧିକ ଜମିରେ କମଳା ଚାଷ କରିଛନ୍ତି ଚାଷୀ । ବର୍ଷକୁ ୨ଟି ପର୍ଯ୍ୟାୟରେ କମଳା ଉତ୍ପାଦନ ହୋଇଥାଏ । ପ୍ରଥମ ଦଫା ଉତ୍ପାଦନ ମାର୍ଚ୍ଚ ମାସରେ ହେଉଥିବା ବେଳେ ନଭେମ୍ବରରୁ ଡିସେମ୍ବର ମାସରେ ଦ୍ୱିତୀୟ ଦଫା କମଳା ଉତ୍ପାଦନ କରିଥାନ୍ତି ଚାଷୀ । ଏଠାରୁ ଉତ୍ପାଦିତ କମଳାକୁ ନାଗପୁର ରପ୍ତାନୀ କରିଥାଏ ଉଦ୍ୟାନ ବିଭାଗ । ହେଲେ ଚଳିତ ବର୍ଷ ଲଘୁଚାପ ବର୍ଷା ଯୋଗୁଁ କମଳାରେ ପୋକ ଲାଗିଛି । ଫଳରେ କମଳା ଗୁଡିକ ଅମଳ ସମୟ ଆଗରୁ ଗଛରୁ ଝଡି ପଡୁଛି ।
ଜଳବାୟୁରେ ପରିବର୍ତ୍ତନ ଯୋଗୁଁ କୁଣ୍ଢେଇଗୋଳା ଆଉ ଆଗଭଳି କମଳା ଫଳୁ ନାହିଁ । ଚାଷରେ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ବି କିଛି ଲାଭ ମିଳୁନାହିଁ । ସରକାରୀ ବାବୁଙ୍କ ଅବହେଳାର ଶୀକାର ହେଉଥିବା କମଳା ଚାଷୀ କେମିତି କ୍ଷତି ଭରଣା କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।