କନକ ବ୍ୟୁରୋ : ବିପଦ ସଂକୁଳ ଯାତ୍ରା । ନଦୀ ପାରି ହେବା ପାଇଁ ଜୀବନକୁ ପାଣି ଛଡେଇ ପୋଲ ଉପରକୁ ଚଢୁଛନ୍ତି ଲୋକ । ଗୋଟିଏ ବାଉଁଶ ସାହାଯ୍ୟରେ ଅର୍ଦ୍ଧନିର୍ମିତ ପୋଲ ଉପରକୁ ଚଢୁଛନ୍ତି ମହିଳା,ପୁରୁଷ ସମସ୍ତେ । ଛୋଟ ଛୋଟ ଝିଅ ମଧ୍ୟ ଚଢୁଥିବା ଦେଖିବାକୁ ମିଳିଛି । ଏମିତି ବାଉଁଶ ସାହାଯ୍ୟରେ ପୋଲ ଉପରେ ଚଢିବ ନହେଲେ ପାଣିରେ ପଶି ନଦୀ ପାରିହେବାକୁ ପଡୁଛି । ସୁନ୍ଦରଗଡ ଜିଲ୍ଲା ଦେଓ ନଦୀ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି । ନଦୀ ଉପରେ ନିର୍ମାଣ ହେଉଥିବା ଅଧପନ୍ତରିଆ ପୋଲ ଲୋକଙ୍କ ବିପଦ ସାଜିଛି । ରାଉରଲେକା ଉପକଣ୍ଠ ଲହଣ୍ଡା ଠାରେ ଦେଓ ନଦୀ ଉପରେ ପୋଲ ନିର୍ମାଣଧିନ ରହିଛି । ୨୦୧୭-୧୮ ଆର୍ଥିକ ବର୍ଷରୁ ପୋଲ ନିର୍ମାଣ କାମ ଆରମ୍ଭ ହୋଇଛି ଯେ, ସରିବାର ନାଁ ନେଉନି । ଜମି ବିବାଦ ଯୋଗୁଁ ପୋଲ ନିର୍ମାଣ ଅଧାରେ ଅଟକି ରହିଛି । ପୋଲର ୫ଟି ସ୍ପାନରୁ ୪ଟି ତିଆରି ହୋଇ ସାରିଛି । ଆଉ ଗୋଟିଏ ବାକି ରହିଛି । ତେଣୁ ରାଉରକେଲା ସହର ଉପରେ ନିର୍ଭର କରୁଥିବା ନୂଆଗାଁ ଓ କୁଆଁରମୁଣ୍ଡା ପଂଚାୟତବାସୀ ବିପଦଶଙ୍କୁଳ ଅବସ୍ଥାରେ ଅଧାଗଢା ପୋଲ ଉପରେ ଯାତାୟତ କରୁଛନ୍ତି ।