କନକ ବ୍ୟୁରୋ: ଜଣେ ଦାନ୍ତ ଡାକ୍ତର ଅବୈଧ ନିଶାକାରବାରରେ ସଂପୃକ୍ତ ହେବା, ଆଉ ପୋଲିସ ହାତରେ ଧରାପଡି ଗିରଫ ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ରୋଗୀଙ୍କ ନୂଆ ଜୀବନ ଦେଉଥିବା ପେଶାରେ ଥିବା ଜଣେ ଡାକ୍ତର କେମିତି ଡ୍ରଗ୍ସ ବେପାର କରି ଯୁବପୀଢିଙ୍କୁ ନିଶାର ଗୋଲକଧନ୍ଦା ଭିତରକୁ ଠେଲିଦେଉଥିଲେ ତାହା ଏବେ ସାମ୍ନାକୁ ଆସିଛି । ବ୍ରାଉନ୍ସୁଗର ବେପାର ଅଭିଯୋଗରେ ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍ ।

Kanak News is now on WhatsApp
Join and get latest news updates delivered to you via WhatsApp
ଫିଲ୍ମ ହିରୋ ଭଳି ଚେହେରା । ଡାକ୍ତର ଭଳି ସମ୍ମାନଜନକ ପେଷା । ହେଲେ କାରବାର ଜଘନ୍ୟ ଓ ଅପରାଧପୂର୍ଣ୍ଣ । ପାଠଶାଠ ପଢ଼ି ଡାକ୍ତର ହୋଇଥିଲେ । ଯାଜପୁରରେ କ୍ଲିନିକ୍ଟିଏ ମଧ୍ୟ କରିଥିଲେ । ହେଲେ ଧଳା ଜହରର ନିଶା ଓ କାରବାର ଡାକ୍ତରଙ୍କୁ ଅବାଟରେ ନେଉଯାଇଥିବା ଅଭିଯୋଗ ହୋଇଛି ।
ନାଁ: ନିଗମାନନ୍ଦ ଖଟୁଆ
ବୟସ: ମାତ୍ର ୨୮ ବର୍ଷ
ଯାଜପୁର ଥାନା ମହାବୀର ମହନଗରରେ ଡେଂଟାଲ୍ କ୍ଲିନିକ୍ କରିଥିବା ଏହି ଯୁବକ ନାଁରେ ଆସିଛି ସାଂଘାତିକ୍ ଅଭିଯୋଗ । ଧଳାଜହର ଭାବେ ପରିଚିତ ବ୍ରାଉନ୍ସୁଗର ବେପାର ଅଭିଯୋଗରେ ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍ । ଏମାନଙ୍କଠାରୁ ବ୍ରାଉନ୍ସୁଗାର ଓ ୪ଟି ମୋବାଇଲ୍ ଜବତ କରିଛି ପୁଲିସ । ସୂଚନା ଅନୁସାରେ- ଗିରଫ ଡାକ୍ତର ନିଶା କାରବାର କରୁଥିଲେ । ବାହାରୁ ବ୍ରାଉନସୁଗାର ଆଣି ବିକି କରୁଥିଲେ । ଏମିତି କି ଡାକ୍ତର’ର ଚେହେରା ତଳେ ଧଳାଜହର କାରବାର କରୁଥିଲେ ।
ଗିରଫ ସନ୍ଦୀପ ମଲ୍ଲିକ ଓ ରକ୍ଷାକର ଦୀକ୍ଷିତଙ୍କ ପାଖରେ ପୁଲିସ ପହଂଚିବା ପରେ ବ୍ରାଉନସୁଗାର ରାକେଟର ଫର୍ଦ୍ଦାଫାସ ହୋଇଥିଲା । ଏହି ଦୁଇ ଜଣଙ୍କ ଜରିଆରେ ଡାକ୍ତର ନିଗମାନନ୍ଦଙ୍କ କାରବାର ସମ୍ପର୍କରେ ଟେର୍ ପାଇଥିଲା ପୁଲିସ୍ । ଗିରଫ ଡାକ୍ତର ଜଣକ ଭୁବନେଶ୍ୱରରୁ ଡାକ୍ତରୀ ପାଠ ସାରିବା ପରେ ଯାଜପୁର ଅଂଚଳରେ କ୍ଲିନିକ କରିଥିଲେ । ଯାଜପୁର ଅଂଚଳରେ ଜଣେ ଡାକ୍ତର ଧଳାଜହର କାରବାର କରୁଥିବା ଖବର ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।