ଆଜି ରାତି ଗୋଟାଏରେ ଆରମ୍ଭ ହେବ ଶ୍ରୀଜୀଉଙ୍କ ପହଣ୍ଡି । କାଲି ସକାଳେ ମିଳିବ ଦିଅଁଙ୍କ ଦର୍ଶନ । ପହଣ୍ଡି ଦର୍ଶନରୁ ବଞ୍ଚିତ ହେବେ ଭକ୍ତ, ରାତି ୧୦ଟାରୁ ଲାଗୁ ହେବ ୧୪୪ ଧାରା।

213

କନକ ବ୍ୟୁରୋ: ଆଜି ରାତି ହେବ ଶ୍ରୀଜୀଉଙ୍କ ସ୍ନାନ ପହଣ୍ଡି । ରାତି ଗୋଟାଏରୁ ଭୋର ୪ଟା ପର୍ଯ୍ୟନ୍ତ ଧାଡି ପହଣ୍ଡିରେ ସ୍ନାନ ବେଦୀକୁ ଆସିବେ ତିନି ଠାକୁର । ପହଣ୍ଡି ନୀତିକୁ କେହି ଦେଖିପାରିବେ ନାହିଁ । ଗୁପ୍ତ ଭାବରେ ଶ୍ରୀଜୀଉଙ୍କ ସ୍ନାନ ପହଣ୍ଡି ନୀତି ସମ୍ପନ୍ନ କରାଯିବ । ହେଲେ କାଲି ସକାଳେ ମିଳିବ ଶ୍ରୀଜଗନ୍ନାଥଙ୍କ ଦର୍ଶନ । କାଲି ସକାଳ ୬ଟାରୁ ଶ୍ରୀଜୀଉ ସ୍ନାନ ମଣ୍ଡପରେ ଥିବା ବେଳେ ଟିଭିରେ ପ୍ରସାରିତ ହେବ । କରୋନା କଟକଣା ଯୋଗୁଁ ଭକ୍ତମାନେ ସ୍ନାନ ଯାତ୍ରାରେ ସାମିଲ ହୋଇପାରିବେ ନାହିଁ ।

ସେପଟେ କରୋନା କଟକଣା ଭିତରେ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ପୁରୀରେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡକୁ ୭ଟି ଜୋନରେ ବିଭିକ୍ତ କରାଯାଇ ପ୍ରତି ଜୋନରେ ଲାଗିଛି ସିସିଟିଭି । ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛି । ୧୫୦ ଅଫିସର ଓ ୬ ଜଣ ଅତିରିକ୍ତ ଏସପି ନିୟୋଜିତ ହେବେ । ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ହେବାକୁ ଥିବାରୁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ସେବାୟତରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା ।

ତେବେ ଚଳିତବର୍ଷ କରୋନା କଟକଣା ଭିତରେ ବିନା ଭକ୍ତରେ ହେବାକୁ ଯାଉଛି ସ୍ନାନଯାତ୍ରା । ଏଥିପାଇଁ ସ୍ଥିର ହୋଇଥିବା ନୀତି ନିର୍ଘଂଟ ଉପରେ ନଜର ପକାଇବା । ଗୁରୁବାର ରାତି ଗୋଟାଏରୁ ରାତି ୪ଟା ମଧ୍ୟରେ ଶ୍ରୀଜିଉଙ୍କ ପହଣ୍ଡି ଅନୁଷ୍ଠିତ ହେବ । ସେହିପରି ଶୁକ୍ରବାର ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ସ୍ନାନନୀତି ଅନୁଷ୍ଠିତ ହେବ । ସକାଳ ୧୦ଟା ୩୦ – ଛେରାପହଁରା ଅନୁଷ୍ଠିତ ହେବାକୁ ଥିବା ବେଳେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ହାତୀ ବେଶ । ଶୁକ୍ରବାର ସଂଧ୍ୟା ୫ଟା – ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଚାଲିବ ।