ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି । ଗାଡି ଚଳାଚଳ ପ୍ରଭାବିତ, ୪୮ ଘଂଟା ଯାଏଁ ରହିବ ପ୍ରଭାବ

ରାତିରେ ୨ରୁ ୪ ଡିଗ୍ରୀ ବଢିପାରେ ତାପମାତ୍ରା

117

କନକ ବ୍ୟୁରୋ: ଆସନ୍ତା ଦୁଇ ଦିନ ଯାଏଁ ବଢିବ ରାତିର ତାପମାତ୍ରା । ହେଲେ ସକାଳେ ଦେଖିବାକୁ ମିଳିବ ଘନ କୁହୁଡି । ଆସନ୍ତା ୪୮ ଘଂଟା ଯାଏଁ ଉପକୂଳ ଓଡିଶା ସମେତ ମଧ୍ୟ ଓଡିଶାର କିଛି ଜିଲ୍ଲାରେ ଦେଖିବାକୁ ମିଳିବ ଏହାର ପ୍ରଭାବ । ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର । ଆଜି ସକାଳେ ଭୁବନେଶ୍ୱରରେ ଦେଖିବାକୁ ମିଳିଛି କୁହୁଡିର ପ୍ରଭାବ । କୁହୁଡିର ପରିମାଣ ପରିବେଶରେ ଏତେ ମାତ୍ରାରେ ରହିଛି ଯେ ସକାଳେ ମୁହଁକୁ ମୁହଁ ମଧ୍ୟ ଦେଖାଯାଉନଥିଲା । ପୁରା ପରିବେଶରେ ଭରି ରହିଥିଲା କୁହୁଡି ।

ସକାଳେ ଗାଡି ମୋଟର ରାସ୍ତାରେ ଯିବା ବେଳେ ଆଲୋକ ଜାଳି ଯିବା ଆସିବା କରୁଛନ୍ତି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ବି ଦେଖିବାକୁ ମିଳିଛି କୁହୁଡିର ପ୍ରଭାବ । କିଛି ଜିଲ୍ଲାରେ ସକାଳେ ଘନ କୁହୁଡି ଦେଖାଯିବାର ସଂଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ସେପଟେ ପୁରୀରେ ଦେଖିବାକୁ ମିଳିଛି ଘନ କୁହୁଡି । ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ବିଶେଷ କରି କୁହୁଡିକୁ ନେଇ ଅଡୁଆରେ ପଡିଥିଲେ । ବଡଦାଣ୍ଡରେ କିଛି ମିଟର ଦୂରରୁ ଶ୍ରୀମନ୍ଦିର ବି ଦେଖାଯାଉନଥିଲା । ଏକ ବହଳିଆ କୁହୁଡିର ଚାଦର ଘୋଡେଇ ହୋଇ ରହିଥିଲା ମନ୍ଦିର ଉପରେ ।