ଦେଶବାସୀଙ୍କ ପାଇଁ ଖୁସି ଖବର ଆଣିଲେ ଭାରତୀୟ ବୈଜ୍ଞାନିକ, ମିଳିଲା ଡେଙ୍ଗୁ ଔଷଧର ସନ୍ଧାନ

205

କନକ ବ୍ୟୁରୋ : କରୋନା ସହ ଏବେ ଡେଙ୍ଗୁ ବି ଭାରତୀୟ ଚିକିତ୍ସା ବିଜ୍ଞାନ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏହି କ୍ରମରେ ଭାରତୀୟଙ୍କୁ କିଭଳି ଡେଙ୍ଗୁ ପ୍ରଭାବରୁ ରକ୍ଷା କରାଯିବ ସେ ନେଇ ଅନୁସନ୍ଧାନ ଜରି ରହିଛି । ଏହାରି ମଧ୍ୟରେ ଭାରତୀୟଙ୍କ ପାଇଁ ଖୁସି ଖବର ଆସିଛି । ଡେଙ୍ଗୁର ଚିକିତ୍ସା ପାଇଁ ଔଷଧକୁ ନେଇ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ଡେଙ୍ଗୁ ଔଷଧର ସନ୍ଧାନ ପାଇଛନ୍ତି ଓ ଏହା ଖୁବଶୀଘ୍ର ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି ।

ଏନେଇ ରିସର୍ଚ୍ଚ କରୁଥିବା ଲକ୍ଷ୍ନୌର କେନ୍ଦ୍ରୀୟ ଔଷଧ ଅନୁସନ୍ଧାନ ସଂସ୍ଥାନ (ସିଏସଆଇଆର –ସିଡିଆରଆଇ) ର ବୈଜ୍ଞାନିକ ଡେଙ୍ଗୁ ରୋଗର ଉପଚାର ପାଇଁ ଦୁଇଟି ଔଷଧର ସନ୍ଧାନ ପାଇଛନ୍ତି । ଏହି ଔଷଧକୁ ପ୍ରଥମ ପର୍ଯ୍ୟାୟରେ ମୂଷାମାନଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା ଓ ଏହା ସଫଳ ହୋଇଥିବା କଥା କୁହାଯାଉଛି । ଅନ୍ୟପଟେ ଏହାକୁ ଖୁବଶୀଘ୍ର ମାନବ ଶରୀରରେ ପରୀକ୍ଷା କରାଯିବ ବୋଲି ବୈଜ୍ଞାନିକମାନେ ପ୍ରୟାସ ଆରମ୍ଭ କରିଛନ୍ତି ।

କହିରଖୁ କି ଚଳିତବର୍ଷ ସେପ୍ଟେମ୍ବର ଆରମ୍ଭରୁ ଦେଶର ବିଭିନ୍ନ ସ୍ଥାନରେ ଡେଙ୍ଗୁ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଡେଙ୍ଗୁ ସଂକ୍ରମଣ ଦ୍ୱାରା ପ୍ରଥମେ ସାମାନ୍ୟ ଜ୍ୱର ହୋଇଥିଲେ ବି ପରବର୍ତ୍ତୀ କ୍ଷଣରେ ଚିକିତ୍ସା ଅଭାବରୁ ଏହା ଜୀବନ ପ୍ରତି ବିପଦ ଦେଖା ଦେଇଥାଏ ।

ଡେଙ୍ଗୁ ଔଷଧର ସନ୍ଧାନ ମିଳିବା ପରେ ସିଡିଆରଆଇର ନିର୍ଦ୍ଦେଶକ ପ୍ରଫେସର ତପସ କୁଣ୍ଡୁ କହିଛନ୍ତି ଯେ, ଏହି ଔଷଧ ଡେଙ୍ଗୁ ରୋଗୀଙ୍କ ଉପରେ ନିଶ୍ଚିନ୍ତ ପ୍ରଭାବ ପକାଇବ । ମାନବ ଶରୀରରେ ପରୀକ୍ଷଣ ପରେ ଏହାକୁ ଖୁବଶୀଘ୍ର ବଜାରକୁ ଛଡାଯିବ ।

ସୂଚନା ଥାଉକି ଭାରତରେ ଡେଙ୍ଗୁ ସଂକ୍ରମଣରେ ଦିନକୁ ଦିନ ଶତାଧିକ ଲୋକଙ୍କର ମୃତ୍ୟୁ ହେଉଛି । କାରଣ ଡେଙ୍ଗୁର ଚିକିତ୍ସା ପାଇଁ କୌଣସି ଔଷଧ ବଜାରରେ ଉପଲବ୍ଧ ହୋଇ ନାହିଁ । ମାତ୍ର ରୋଗର ଲକ୍ଷଣ ଆଧାରରେ ଚିକିତ୍ସକମାନେ ଚିକିତ୍ସା କରିଥାନ୍ତି ।