କାୟା ବିସ୍ତାର କରୁଛି ଡେଙ୍ଗୁ : ଗତ ୭ଦିନରେ ପ୍ରାଣ ହରାଇଲେଣି ୧୩ଜଣ; ଡେଙ୍ଗୁ ଭୟରେ ଗାଁ ଛାଡୁଛନ୍ତି ଗ୍ରାମବାସୀ

1,666

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଏଟା ଗାଁରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ । କରୋନା ମହାମାରୀ ସହ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ରୋଗ । ଜଣକ ପରେ ଜଣେ ଡେଙ୍ଗୁ ରୋଗରେ ପଡ଼ି ନୟାନ୍ତ ହେଲେଣି । ଗତ ୭ଦିନ ମଧ୍ୟରେ ପ୍ରାୟ ୧୩ଜଣ ଲୋକ ପ୍ରାଣ ହରାଇଲେଣି । ଏଥି ସହିତ ଶହ ଶହ ଲୋକ ଡେଙ୍ଗୁ ରୋଗରେ ପୀଡିତ ଅଛନ୍ତି ଏବଂ ଆଗ୍ରା, ଆଲିଗଡ, ଏଟାୱା ପରି ମେଟ୍ରୋର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡେଙ୍ଗୁ ଭୟରେ ଗାଁ ଛାଡୁଛନ୍ତି ଗ୍ରାମବାସୀ ।

 

ପୂରା ଗାଁରେ ଖେଳିଯାଇଛି ଡେଙ୍ଗୁ ଆତଙ୍କ । ବାରରୁ ଅଧିକ ପରିବାର ଗାଁ ଛାଡି ପଳାଇଲେଣି । କସୈଟି ଗାଁରେ ଜନଶୂନ୍ୟ ପରିବେଶ । ରାସ୍ତାଘାଟ ଶୂନଶାନ । ଏହି ଗାଁର ପ୍ରତ୍ୟେକ ପରିବାର ଡେଙ୍ଗୁରେ ପୀଡିତ । କେହି କେହି ସେମାନଙ୍କ ପ୍ରିୟଜନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଥିବାବେଳେ କେତେକ ଡେଙ୍ଗୁ ରୋଗରୁ ମୁକ୍ତି ପାଇବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ଗାଁରେ ୧୩ଜଣ ପ୍ରାଣ ହରାଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କେବଳ କିଛି ବଟିକା ବାଣ୍ଟି ନିଜ କର୍ତ୍ତବ୍ୟ ସାରି ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଜୀବନ ରକ୍ଷା ପାଇଁ ଗ୍ରାମବାସୀ ବୃନ୍ଦ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ସେ କହିଛନ୍ତି, ଡେଙ୍ଗୁ ରୋଗ ଆରମ୍ଭ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏହି ଗ୍ରାମକୁ ନିରନ୍ତର ପରିଦର୍ଶନ କରୁଛନ୍ତି ଏବଂ ଘର ଘର ବୁଲି ଲୋକଙ୍କ ପରୀକ୍ଷା ମଧ୍ୟ କରିଛୁ ।