ଡରାଉଛି ଡେଙ୍ଗୁ! ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ସଙ୍ଗୀନ।  

71

କନକ ବ୍ୟୁରୋ: କରୋନା ସଂକ୍ରମଣ ଯେପରି ମାଡ଼ି ଚାଲିଥିଲା, ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଭୁବନେଶ୍ୱରରେ ଅଗଷ୍ଟ ମାସରେ ୭୬୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବରରେ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠରେ ୫ ଶହରୁ ଅଧିକ ମାମଲା ସାମ୍ନାକୁ ଆସିଛି ।

୨ ହଜାର ଟପି ସାରିଛି ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କ୍ୟାପିଟାଲ ହସପିଟାଲରେ ରୋଗୀଙ୍କ ଭିଡ଼ ଦେଖିବାକୁ ମିଳୁଛି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଉଛି । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ୪୫ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ କରାଯାଇଛି ।

ଗୁରୁତର ରୋଗୀଙ୍କୁ ଆବଶ୍ୟକ ପଡୁଛି ବ୍ଲଡ୍ ପ୍ଲେଟଲେଟ୍ । ଏହି ସମୟରେ ସହଯୋଗର ହାତ ବଢାଇଛି କମିସନରେଟ୍ ପୁଲିସ । ପ୍ଲେଟଲେଟ୍ ଅଭାବରୁ ଯେପରି କେହି ସମସ୍ୟାରେ ନପଡିବେ, ସେଥିପାଇଁ ଆଗେଇ ଆସିଛନ୍ତି, ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀ । ରକ୍ତଦାନ ପାଇଁ କମିସନରେଟ୍ ପୁଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ।

ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା, ମାଲକାନଗିରି, ପୁରୀ ଓ ନୟାଗଡ଼ରେ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି, କୌଣସି ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା ସରକାରୀ ରିପୋର୍ଟରୁ ସୂଚନା ମିଳିଛି ।