କନକ ବ୍ୟୁରୋ: ରାଜ୍ୟ ରାଜଧାନୀରେ ପରିମଳ ବ୍ୟବସ୍ଥାର ଚିତ୍ର ଡେଙ୍ଗୁ ରୋଗକୁ ନିମନ୍ତ୍ରଣ ନୁହେଁ ତ ଆଉ କଣ? ସ୍ୱାସ୍ଥ୍ୟ ବିଭାଗର ସୂଚନା ଜାନୁୟାରୀରୁ ଜୁନ ଶେଷ ସୁଦ୍ଧା ୬ ମାସରେ ରାଜ୍ୟରେ ୧୮୬ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧୦୨ ଜଣ ଡେଙ୍ଗୁରୋଗୀ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ।

Advertisment

ଗତ ୧୫ ଦିନ ଭିତରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହଠାତ୍ ବଢିବାରେ ଲାଗିଛି । ସ୍ଥିତି ଏମିତି ଯେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିିଟାଲକୁ ପ୍ରତିଦିନ ୩୫ ରୁ ୪୦ ଜଣ ଟେଷ୍ଟ ପାଇଁ ଆସୁଛନ୍ତି ଓ ୫ରୁ ୭ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲରେ ଡେଙ୍ଗୁ ୱାର୍ଡ ଖୋଲାଯାଇଛି । ହେଲେ ଆଶ୍ୱସ୍ତିକର କଥା ହେଉଛି ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଟେଷ୍ଟିଂ ସଂଖ୍ୟା ଅଧିକ ରହିଥିଲେ ବି ପଜେଟିଭ ସଂଖ୍ୟା କମ ରହିଛି ।

ରାଜଧାନୀର ନୟାପଲ୍ଲୀ, ସାଲିଆସାହି, ପୁରୁଣା ଭୁବନେଶô୍ର ଆଦି ଜାଗା ଡେଙ୍ଗୁ ହଟସ୍ପଟ ଭାବେ ଚିହ୍ନଟ ହୋଇଛି । ଗତ ୬ ମାସରେ ନୟାପଲ୍ଲୀରୁ ସର୍ବାଧିକ ୨୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଆଇଆରସି ଭିଲେଜରୁ ୫ ଜଣ, ଜୟଦେବ ବିହାରରୁ ୫ ଜଣ, ୟୁନିଟ-୯ରୁ ୪ ଜଣ, ୟୁନିଟ-୩ରୁ ୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ କମ ବର୍ଷା ସତ୍ୱେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଛି । ଆଗକୁ ବର୍ଷାର ବିସ୍ତୃତି ବଢିବାକୁ ଯାଉଥିବାରୁ ହଟସ୍ପଟକୁ ନେଇ ଅଧିକ ସର୍ତକ ହୋଇଛି ବିଏମସି । ସମ୍ବେଦନଶୀଳ ଅଞ୍ଚଳରେ ଦିନକୁ ୨ଥର ଫଗିଂ କରାଯିବ । ଗୁରୁବାର ଓ ଶନିବାର ହେବ ଡ୍ରାଏ ଡେ । ଘର ଘର ବୁଲି ମଶା ଉପତିସ୍ଥଳକୁ ନିପାତ କରିବାକୁ ସଚେତନ କରାଯାଉଥିବା କହିଛନ୍ତି ବିଏମସି ଅଧିକାରୀ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୬ ମାସ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୧୨ ଜଣ, ବାଲେଶ୍ୱରରୁ ୧୦ ଜଣ ଓ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀଙ୍କୁ ମିଶାଇ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬ରେ ପହଞ୍ଚିଛି ।