କନକ ବ୍ୟୁରୋ: ଦୁନିଆକୁ ଦେଖିବାକୁ ଆଗରୁ, କିଛି ଜାଣିବା ଆଗରୁ କୁନି ଝିଅଟି ଆଖିବୁଜି ଦେଇଛି । ଭୁବନେଶ୍ୱର ଧର୍ମବିହାର ଅଞ୍ଚଳରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୭ ବର୍ଷର ଝିଅ ସାଇସ୍ମିତା ସାହୁ ଓରଫ୍ ପିହୁଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Advertisment

କିଛି ଦିନ ତଳେ ପିହୁଙ୍କୁ ଜ୍ୱର ହୋଇଥିଲା । ଦୁଇ ଦିନ ଅପେକ୍ଷା କରିବା ପରେ ପରିବାର ଲୋକ, ଝିଅଟିର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ରିପୋର୍ଟରେ ଝିଅଟିକୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା । ତେବେ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଝିଅଟିର ମୃତ୍ୟୁ ହୋଇଥବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଥିଲେ ।

ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଧୀରେ ଧୀରେ ସାଂଘାତିକ୍ ରୂପ ନେଉଛି । ସୂଚନା ଅନୁସାରେ, ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଯାଇଛି । ବର୍ତ୍ତମାନ ଭୁବନେଶ୍ୱରରେ ୬୫ରୁ ୭୦ ଜଣ ସକ୍ରିୟ ଡେଙ୍ଗୁ ରୋଗୀ ଅଛନ୍ତି ବୋଲି ଜଣାପଡ଼ିଛି । ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟାପକ ସଚେତନା କରାଯାଉଛି । ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର ଛିଞ୍ଚାଯାଉଛି । ଏବଂ ଆଂଟି ଲାର୍ଭା ଔଷଧ ଓ ମଶା ଧୂଆ ସ୍ପ୍ରେ କରାଯାଉଛି । କିନ୍ତୁ ଏସବୁ ଭିତରେ ଭୁବନେଶ୍ୱରରେ ପ୍ରଥମ ଡେଙ୍ଗୁଜନିକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।