କରୋନା ସମୟରେ ରାୟଗଡାକୁ ଡରାଇଲାଣି ଡେଙ୍ଗୁ । ୧୩୯ ନମୁନାରୁ ୪୯ ଜଣଙ୍କ ରିପୋର୍ଟ ଆସିଲା ପଜିଟିଭ୍

କରୋନା ସମୟରେ ରାୟଗଡାକୁ ଡରାଇଲାଣି ଡେଙ୍ଗୁ । ୧୩୯ ନମୁନାରୁ ୪୯ ଜଣଙ୍କ ରିପୋର୍ଟ ଆସିଲା ପଜିଟିଭ୍

Image Courtesy : http://www.elmostrador.cl

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାରେ କାୟା ମେଲାଇଲା ଡେଙ୍ଗୁ। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଏବେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଜିଲ୍ଲାର ୧୩୭ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିରୁ ୪୯ ନମୁନା ପଜିଟିଭ ବୋଲି ସୂଚନା ମିଳିଛି। କେବଳ ୪୨ ନମୁନା ମୁନିଗୁଡ଼ା ବ୍ଲକ୍‌ ଟିକରପଡ଼ା ଗ୍ରାମର। ଗୋଟିଏ ଗ୍ରାମର ଏତେ ସଂଖ୍ୟକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ମୁନିଗୁଡ଼ା, ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ଓ ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଟିକରପଡ଼ା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଗାଁରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ସହ ପ୍ରତିଦିନ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନମୁନା ସଂଗ୍ରହ ଚାଲିଛି।

ମୁନିଗୁଡ଼ା ବ୍ଲକ୍ ଟିକରପଡ଼ା ଗାଁରେ ଗତ ୨ ମାସରେ ୧୦ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେଲାଣି। ଅନ୍ୟ କିଛି ଆକ୍ରାନ୍ତ ଭୟରେ ଅଧିକ ଚିକିତ୍ସା ପାଇଁ ବିଷମକଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଡେଙ୍ଗୁ ବ୍ୟାପିଥିବା ଜଣା ପଡ଼ିଥିଲା। ଚିକିତ୍ସାଧୀନ ଆନନ୍ଦ ବାଘଙ୍କ ରିପୋର୍ଟ ଡେଙ୍ଗୁ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲା। ଗାଁରେ ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ କରି ଲୋକଙ୍କୁ ସଚେତନ କରିବା ସହ ଚିକିତ୍ସା ଆରମ୍ଭ କରିଛି। ସଂପୂର୍ଣ୍ଣ ଗ୍ରାମକୁ ବିଶୋଧନ କରାଯିବା ସହ ମଶାମରା ଧୂଆଁ ସିଞ୍ଚନ କରାଯାଇଛି। ଡେଙ୍ଗୁକୁ ଆୟତ୍ତ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି ଏବଂ ବର୍ତ୍ତମାନ ଆକ୍ରାନ୍ତଙ୍କ ସ୍ଥିତି ଭଲ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe