ବିମୁଦ୍ରାକରଣ ଲକ୍ଷ୍ୟଚ୍ୟୁତ!

Advertisment
ବିମୁଦ୍ରାକରଣ ଲକ୍ଷ୍ୟଚ୍ୟୁତ!

କନକ ବ୍ୟୁରୋ : ଗତବର୍ଷ ସରକାର ଘୋଷଣା କରିଥିବା ବିମୁଦ୍ରାକରଣ ବିଫଳ ହୋଇଛି ବୋଲି ଚର୍ଚା ଆରମ୍ଭ ହୋଇଯାଇଛି । ଗତ କାଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ୯୯% ଅଚଳ ନୋଟ୍‌ ଫେରି ଆସିଥିବା କୁହାଯିବା ପରେ ଏହି ଚର୍ଚା ଜୋର ଧରିଛି । କଳାଧନ ମୂଳପୋଛ କରିବା ପାଇଁ ବିମୁଦ୍ରାକରଣ ଘୋଷଣା କରାଯାଇଥିଲା ବୋଲି କୁହାଯାଉଥିଲା । ଯେହେତୁ ୯୯% ଅଚଳ ନୋଟ୍‌ ବ୍ୟାଙ୍କ ପାଖକୁ ଫେରି ଆସିଛି ତେଣୁ ବିମୁଦ୍ରାକରଣ ବିଫଳ ହୋଇଛି ବୋଲି ଅନେକ କହୁଛନ୍ତି । ଯଦି ସବୁ ଅଚଳ ନୋଟ୍‌ ଫେରିଆସିଲା ତେବେ କଳାଟଙ୍କା ସବୁ କୁଆଡ଼େ ଗଲା ବୋଲି ବିରୋଧୀମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ କଡ଼ା ଭାଷାରେ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିମୁଦ୍ରାକରଣ ଚିନ୍ତାଧାରା ପଛରେ ଥିବା ଅର୍ଥନୀତିଜ୍ଞଙ୍କୁ ନୋବେଲ୍‌ ପୁରସ୍କାର ଦେବା କଥା ବୋଲି ସେ କହିଛନ୍ତି ।

ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିମୁଦ୍ରାକରଣକୁ ଏକ ଫ୍ଲପ୍‌ ସୋ’ ବୋଲି କହିଛନ୍ତି । ଏହାକୁ ସେ ଏକ ବଡ଼ ସ୍କାମ୍‌ ବୋଲି କହିବାକୁ ଭୁଲି ନାହାନ୍ତି।ସିପିଆଇ (ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରି ବିମୁଦ୍ରାକରଣକୁ ଦେଶ ବିରୋଧୀ କାମ ବୋଲି କହିଛନ୍ତି। ଏତେ ସବୁ କିଛି କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଟ୍ଵିଟରରେ ଲୋକମାନେ ନାନା ପ୍ରକାର କଥା ଲେଖିଛନ୍ତି।

କେତେକ ବିଶେଷଜ୍ଞ କିନ୍ତୁ ଭିନ୍ନ ମତ ପ୍ରଦାନ କରିଛନ୍ତି । ବିମୁଦ୍ରାକରଣ ବିଫଳ ହୋଇଛି ବୋଲି ଏତେ ଆଗୁଆ କହିବା ଠିକ୍‌ ନୁହେଁ ବୋଲି ସେମାନେ କହିଛନ୍ତି। ବାର୍‌କ୍ଲେର ମୁଖ୍ୟ ଅର୍ଥନୀତିଜ୍ଞ ସିଦ୍ଧାର୍ଥ ସାନ୍ୟାଲ କହିଛନ୍ତି ଯେ ଯଦିଓ ତୁରନ୍ତ କୌଣସି ଲାଭ ମିଳିନାହିଁ କିନ୍ତୁ ଆଗାମୀ ଦିନରେ ଏହାର ଲାଭ ମିଳିବ। ବିମୁଦ୍ରାକରଣ ଯୋଗୁଁ ଅଧିକ ଲୋକ ଟିକସ ନିୟମ ପାଳନ କରିବା ଆରମ୍ଭ କରିଛନ୍ତି । ୬ ମାସର ତଥ୍ୟକୁ ନେଇ ବିମୁଦ୍ରାକରଣ ବିଫଳ ହୋଇଛି ବୋଲି କହିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି ।

ଆର୍‌ବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଆର୍‌ ଏସ୍‌ ଗାନ୍ଧୀ ମଧ୍ୟ ସରକାରଙ୍କ ବିମୁଦ୍ରାକରଣକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ୯୯% ଅଚଳ ନୋଟ୍‌ ବ୍ୟାଙ୍କକୁ ଫେରି ଆସିବାର ଅର୍ଥ ହେଉଛି କଳାଟଙ୍କା ଧଳା ହୋଇଗଲା । ଏବେ ସେହି ଟଙ୍କା ଉପରେ ଟିକସ ମିଳିବ। ବିମୁଦ୍ରାକରଣ ଯୋଗୁଁ ଲୋକମାନେ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ୍‌ ପ୍ରତି ଆଗ୍ରହୀ ହେବା ଭଲ ବିଷୟ ବୋଲି ସେ କହିଛନ୍ତି। କଂଗ୍ରେସର ଯୋଗାଯୋଗ ବିଭାଗ ମୁଖ୍ୟ ରଣଦୀପ ସୁରଜେଓ୍ଵାଲା ବିମୁଦ୍ରାକରଣକୁ ବିପର୍ୟ୍ୟୟ ବୋଲି କହିଛନ୍ତି । ଏହା ଯୋଗୁଁ ୧୦୪ ନିରୀହ ଲୋକଙ୍କ ଜୀବନ ଗଲା। ଦୁର୍ନୀତିଗ୍ରସ୍ତମାନେ ଲାଭ ପାଇଲେ ବୋଲି ସେ କହିଛନ୍ତି। ବିମୁଦ୍ରାକରଣ ଯୋଗୁଁ ଜିଡିପି ଅଭିବୃଦ୍ଧି ୨% କମିଯିବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରିଥିବା ଆକଳନ ସତ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe