ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ: ଆମେରିକା ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ପ୍ରସ୍ତାବ ଆଣିଲା ଡେମୋକ୍ରାଟିକ ପାର୍ଟି

ଦିନେ ଦୁଇ ଦିନ ଭିତରେ ମହାଭିଯୋଗ ପ୍ରସ୍ତାବ ଉପରେ ହୋଇପାରେ ଭୋଟ

182

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆସିଛି । ଡେମୋକ୍ରାଟିକ୍ ପାର୍ଟି ଏହି ପ୍ରସ୍ତାବ ଦେଇଛି । ହାଉସ୍ ଅଫ୍ ରିପ୍ରେଜେଂଟେଟିଭ୍ରେ ତୁରନ୍ତ ଏ ନେଇ ପଦକ୍ଷେପ ନେବ ବୋଲି ଅନୁମାନ କରାଯାଉଛି । ଏପରିକି ଦିନେ ଦୁଇ ଦିନ ଭିତରେ ଏ ନେଇ ଭୋଟ ହୋଇପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡିଛି । ରାଷ୍ଟ୍ରପତି ପଦରୁ ଟ୍ରମ୍ପଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଡେମୋକ୍ରାଟ୍ ମାନେ ଦାବି କରିଛନ୍ତି । ଗତ ସପ୍ତାହରେ କ୍ୟାପିଟଲ ହିଲ୍ ଦଙ୍ଗା ନେଇ ଟ୍ରମ୍ପଙ୍କୁ ଦାୟୀ କରାଯାଉଛି ।

ଜାନୁଆରୀ ୬ ତାରିଖରେ ଡୋନାଲ୍ଡ ଟ୍ରମ୍ପଙ୍କ ଶହ ଶହ ସମର୍ଥକ କ୍ୟାପିଟଲ୍ ହିଲ୍ ଆଗରେ ବ୍ୟାପକ ହିଂସାକାଣ୍ଡ ଓ ଦଙ୍ଗା ଭିଆଇଥିଲେ । ବାଇଡେନଙ୍କ ବିଜୟକୁ ପ୍ରତ୍ୟାଖ୍ୟାନ କରିବା ସହ ଟ୍ରମ୍ପଙ୍କୁ ପୁଣି ଥରେ ବିଜୟୀ ଘୋଷଣା କରିବା ପାଇଁ ବିଭିନ୍ନ ମାରଣାସ୍ତ୍ର ଧରି ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର ସଂସଦ ବା କ୍ୟାପିଟଲ୍ ବିଲ୍ଡିଂ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା କରି ଆମେରିକାର ନିର୍ବାଚନକୁ ଓଲଟାଇ ଦେବାକୁ ଯୋଜନା କରାଯାଇଥିଲା । ହିସାଂକାଣ୍ଡରେ ଜଣେ ମହିଳାଙ୍କ ସହ ୪ ଜଣଙ୍କ ଜୀବନ ଯାଇଥିଲା ।

ଦଙ୍ଗାକୁ ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇ ପଡ଼ିଥିଲେ ପୋଲିସ ଓ ସୁରକ୍ଷାକର୍ମୀ । ନିଜ ସମର୍ଥକକୁ ଏପରି ଦଙ୍ଗା ଭିଆଇବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉସୁକାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ତୁରନ୍ତ ଆମେରିକା କଂଗ୍ରେସ ଓ ସିନେଟ୍, ଇଲେକ୍ଟୋରାଲ କଲେଜର ଭୋଟ ଗଣନା ଶେଷ କରି ଜୋ ବାଇଡେନଙ୍କୁ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରିଥିଲେ ।