ଟ୍ରମ୍ପଙ୍କଠାରୁ ଆମେରିକାକୁ ରହିଛି ବଡ଼ ବିପଦ ।  ପରମାଣୁ ବୋମାର ବଟନ୍ ଛଡ଼ାଇ ଆଣିବାକୁ ଡେମୋକ୍ରାଟଙ୍କ ଦାବି । 

547

କନକ ବ୍ୟୁରୋ : ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି ହ୍ୱାଇଟ ହାଉସରୁ ବିଦା କରିବାକୁ ଚାହୁଁଛନ୍ତି ଡେମୋକ୍ରାଟ୍ । ଏଥିସହ ବିଦାୟୀ ରାଷ୍ଟ୍ରପତିଙ୍କ ନିକଟରେ ଥିବା ପରମାଣୁ ଅସ୍ତ୍ର ପ୍ରୟୋଗ କରିବାର ଅଧିକାରକୁ ଛଡାଇ ଆଣିବା ପାଇଁ ଦାବି କରିଛନ୍ତି ହାଉସ ଅଫ ରିପ୍ରେଜେଂଟେଟିଭର ବାଚସ୍ପତି ନାନ୍ସି ପେଲୋସି । ଏନେଇ ସେ ଆମେରିକା ସେନାମୁଖ୍ୟ ଜେନେରାଲ ମାର୍କ ମିଲିଙ୍କ ସହ କଥା ହୋଇଛନ୍ତି । ସାଥୀ ଡେମୋକ୍ରାଟ ସଦସ୍ୟଙ୍କ ସହ କଥାହେଲାବେଳେ ନାନ୍ସି କହିଛନ୍ତି ଯେ, ମାନସିକ ଭାବେ ଦୁର୍ବଳ ହୋଇସାରିଥିବା ଏହି ରାଷ୍ଟ୍ରପତିଙ୍କଠୁ ଅଧିକ ବିପଦ ଆଶଙ୍କା କରାଯାଉଛିି । ବିଦାୟୀ ରାଷ୍ଟ୍ରପତିଙ୍କ ପ୍ରରୋଚନାରେ ଆମେରିକା ସଂସଦ- କ୍ୟାପିଟଲ ହଲ ଉପରେ ହିଂସାତ୍ମକ ଆକ୍ରମଣ ପରେ ଟ୍ରମ୍ପ ବିରୋଧୀ ଆଭିମୁଖ୍ୟକୁ ଅଧିକ କଡାକଡି କରିଛନ୍ତି ଡେମୋକ୍ରାଟ୍ ।

ସୁପର ପାୱାର ଆମେରିକା ପାଖରେ ଥିବା ପରମାଣୁ ଅସ୍ତ୍ର ଗୁଡିକୁ ପ୍ରୟୋଗ କରିବା ପାଇଁ ରାଷ୍ଟ୍ରପତିଙ୍କ କ୍ଷମତା ରହିଛି । ମାତ୍ର ୨୪ ଘଂଟାରେ ବିଧ୍ୱଂଶକାରୀ ପରମାଣୁ ଅସ୍ତ୍ରକୁ ପ୍ରୟୋଗ କରିବା ପାଇଁ ରାଷ୍ଟ୍ରପତିଙ୍କୁ କେତେକ କୋଡ୍ ଦିଆଯାଇଥାଏ । ଟ୍ରମ୍ପ ଏଗୁଡିକର ଦୁରୂପଯୋଗ କରିପାରନ୍ତି ବୋଲି ଆଶଙ୍କା କରି ତାଙ୍କ ହାତରୁ ଏହି କ୍ଷମତା ଛଡାଇ ଆଣିବାକୁ ଦାବି କରିଛନ୍ତି ଡେମୋକ୍ରାଟ୍ ।

ଗତ ଗୁରୁବାର କ୍ୟାପିଟଲ ହଲ ହିଂସାକାଣ୍ଡ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ ହାଉସ ଅଫ ରିପ୍ରେଜେଂଟେଟିଭର ବାଚସ୍ପତି ନାନ୍ସି ପେଲୋସି । ଉପରାଷ୍ଟ୍ରପତି ମାଇକ ପେନ୍ସ ଏଥିପାଇଁ ପଦକ୍ଷେପ ନନେଲେ ସେ ସ୍ୱତନ୍ତ୍ର ଅଧିବେସନ ଡକାଇ ମହାଭିଯୋଗ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ ।

ସମ୍ବିଧାନର ୨୫ ତମ ସଂଶୋଧନ ଆଧାରରେ ଏହି ରାଷ୍ଟ୍ରପତିଙ୍କୁ ତୁରନ୍ତ ବିଦା କରିବା ପାଇଁ ଉପରାଷ୍ଟ୍ରପତିଙ୍କୁ ମୁଁ ଅନୁରୋଧ କରୁଛି । ଯଦି ଉପରାଷ୍ଟ୍ରପତି ଏପରି ନକରନ୍ତି ତେବେ କଂଗ୍ରେସ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିବ ।

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଅର୍ଥାତ ତାଙ୍କୁ ୨୦ ଜାନୁଆରୀ ପୂର୍ବରୁ ହ୍ୱାଇଟ ହାଉସରୁ ବିଦା କରିବା । ଏହା ସମ୍ଭବ । କାରଣ ଏଭଳି କରିବା ପାଇଁ ଆମେରିକା ସମ୍ବିଧାନରେ ୨୫ ତମ ସଂଶୋଧନ ଅନୁମତି ପ୍ରଦାନ କରୁଛି ।

କ’ଣ ଏହି ଆମେରିକା ସମ୍ବିଧାନରେ ୨୫ ତମ ସଂଶୋଧନ?

ସ୍ଥିତି- ରାଷ୍ଟ୍ରପତିଙ୍କ ମୃତ୍ୟୁ ହେଲେ କିମ୍ବା ଶାସନ କରିବାକୁ ଅକ୍ଷମ ହେଲେ

ବ୍ୟବସ୍ଥା- ଅନ୍ୟଜଣଙ୍କୁ ଦେଶର ଶାସନ ଭାର ହସ୍ତାନ୍ତର କରାଯାଇପାରେ 

ସ୍ଥିତି- ରାଷ୍ଟ୍ରପତି ଇସ୍ତଫା ଦେଲେ କିମ୍ବା ମୃତ୍ୟୁ ହେଲେ 

ବ୍ୟବସ୍ଥା- ଉପରାଷ୍ଟ୍ରପତିଙ୍କୁ ଅସ୍ଥାୟୀ ଭାବେ ଦିଆଯିବ ଦାୟିତ୍ୱ

୨୫ ତମ ସଂଶୋଧନର ସେକ୍ସନ- ୪ 

-ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର ନକଲେ କିମ୍ବା ଦାୟିତ୍ୱ ନିର୍ବାହ କରିବାକୁ ଫେଲ ମାରିଲେ ତାଙ୍କୁ ପଦରୁ ହଟା ଯାଇପାରିବ