ଆମେରିକାରେ ଆରମ୍ଭ ହେଲା ବାଇଡେନଙ୍କ ଶାସନ : ସରିଲା ଟ୍ରମ୍ପଙ୍କ ଯୁଗ, ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍; କହିଲେ, ଆଜି ଆମେରିକାର ଦିନ, ହେଲା ଗଣତନ୍ତ୍ରର ବିଜୟ

96

କନକ ବ୍ୟୁରୋ : ଆମେରିକା ପାଇଲା ନୂଆ ରାଷ୍ଟ୍ରପତି । ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋସେଫ୍ ବାଇଡେନ୍ । ଶପଥ ନେବା ପରେ ବାଇଡେନ ଅଭିଭାଷଣ ରଖି କହିଛନ୍ତି । ଗଣତନ୍ତ୍ରର ବିଜୟ ହୋଇଛି । ପରିଶ୍ରମ କରି ଆମକୁ ଆଗକୁ ଯିବାକୁ ହେବ । କରୋନା କାଳରେ ଅନେକ ଲୋକ ଚାକିରି ହରାଇଛନ୍ତି । ଅନେକ ବିଷମ ପରିସ୍ଥିତିର ସାମନା କରିବାକୁ ପଡିଛି । କ୍ୟାପିଟାଲ ହିଲ ଆକ୍ରମଣ କଥା ଉଠାଇ, ଗଣତନ୍ତ୍ର ଉପରେ କିପରି ପ୍ରହାର ହୋଇଛି ଦେଶବାସୀଙ୍କ ସମ୍ବୋଧନ କରିବା ସମୟରେ ଏହା ଉପରେ ଗୁୁରୁତ୍ୱ ଦେଇଛନ୍ତି ବାଇଡେନ ।

ଆମେରିକା ବର୍ତ୍ତମାନ ଦୁଇଟି ସମସ୍ୟା ଦେଇ ଗତି କରୁଛି । ଗୋଟିଏ ହେଉଛି ବର୍ଣ୍ଣବୈଷମ୍ୟ ଏବଂ ଅନ୍ୟଟି ହେଉଛି ଦେଶ ଭିତରେ ହିଂସା । ତେବେ ଆମେରିକାବାସୀ ଏକାଠି ହୋଇ ଏହାକୁ ହରାଇବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି ବାଇଡେନ । ଆମେରିକାରେ ସମସ୍ତଙ୍କ ଉନ୍ନତି ପାଇଁ ତାଙ୍କ ସରକାର କାମ କରିବ । ଏପରିକି ଯେଉଁମାନେ ଭୋଟ ଦେଇଛନ୍ତି ଏବଂ ଯେଉଁମାନେ ଭୋଟ ଦେଇନାହାନ୍ତି ସେ ସମସ୍ତଙ୍କ ପାଇଁ ବାଇଡେନ ସରକାର କାମ କରିବାକୁ ଦୃଢସଂକଳ୍ପବଦ୍ଧ ବୋଲି ନିଜ ଅଭିଭାଷଣରେ କହିଛନ୍ତି ବାଇଡେନ ।

ଆମେରିକାର ଦିନ କହି ଭାଷଣ ଆରମ୍ଭ କରିଥିବା ବାଇଡେନ କହିଛନ୍ତି ଆମେରିକା ପାରିବ ନିଶ୍ଚୟ ପାରିବ । ଆମେରିକା ମହାନ ଦେଶ ଏବଂ ଆମେରିକାର ଲୋକମାନେ ବହୁତ ଭଲ । ସମସ୍ତେ ମିଳିତ ଭାବରେ କାମ କଲେ ଆମେରିକାର ପୂର୍ବ ଗୌରବ ପୁଣି ଫେରିଆସିବ ବୋଲି କହିଛନ୍ତି ବାଇଡେନ । ସେହିପରି ଅରାଜକତା, ମୌଳବାଦ, ବେକାରୀ ସମସ୍ୟା ବିରୋଧରେ ଏକାଠି ଲଢିବାକୁ ସେ ଆହ୍ୱାନ ଦେଇଛନ୍ତି । ନିଯୁକ୍ତି, ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସମସ୍ତଙ୍କୁ ସମ୍ମାନର ସହ ବଂଚିବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ବାଇଡେନ ।