କେମିତି ମମିତାଙ୍କୁ ହତ୍ୟା କରିଥିଲା, ଡେମୋ ଦେଖାଇଲା ଗୋବିନ୍ଦ ସାହୁ : କ୍ରାଇମସ୍ପଟରେ କ୍ରାଇମସିନ୍ ରିକ୍ରିଏସନ୍ କଲା ପୋଲିସ

503

କନକ ବ୍ୟୁରୋ : ଡେମୋ ଦେଖାଇଲା ଗୋବିନ୍ଦ ସାହୁ । କ୍ରାଇମସ୍ପଟରେ କ୍ରାଇମ୍ସିନ୍ ରିକ୍ରିଏସନ୍ କଲା ପୋଲିସ । ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମକୁ ଗୋବିନ୍ଦ ସାହୁକୁ ଆଣିଥିଲା ପୋଲିସ । ପାଖାପାଖି ୧୫ ମିନିଟ୍ ଧରି ପୋଲିସକୁ ହତ୍ୟା ସଂପର୍କରେ ଜଣାଇଲା ଗୋବିନ୍ଦ । କେମିତି ମମିତାଙ୍କୁ ମାରିଥିଲା, ଗାତ ଖୋଳି କେମିତି ପୋଡ଼ିଥିଲା ପୋଲିସକୁ ଜଣାଇଥିଲା ଗୋବିନ୍ଦ ସାହୁ । ପ୍ରଥମେ କାଠ, ତା ଉପରେ ମମିତାଙ୍କ ମୃତଦେହକୁ ରଖି ଜେସିବି ସାହାଯ୍ୟରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ । ଏହା ପରେ ଟାୟାର ଓ କିଛି ବେଂଚ ଡେସ୍କକୁ ଭାଙ୍ଗି ପୋଡି ଦେଇଥିଲା । ମୋବାଇଲକୁ ଭାଙ୍ଗି ମଧ୍ୟ ସେହି ନିଆଁରେ ପକାଇ ଦେଇଥିବା ପୋଲିସ ଆଗରେ କହିଛି ଗୋବିନ୍ଦ ସାହୁ ।

ସୂଚନା ଅନୁସାରେ, ଉତ୍ତରାଞ୍ଚଳ ପୁଲିସ ଡିଆଇଜି ଦୀପକ କୁମାର, ବଲାଙ୍ଗୀର ପୁଲିସ ଏସ୍‌ପି ନିତିନ କୁଶଲକର, କଳାହାଣ୍ଡି ପୁଲିସ ଏସ୍‌ପି ଡା. ଶ୍ରବଣ ବିକେକ ଏମ୍‌.ଙ୍କ ନେତୃତ୍ବରେ ଏକ ପୁଲିସ ତଦନ୍ତକାରୀ ଦଳ ଗୁରୁବାର ମହାଲିଙ୍ଗ ଗାଁରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପହଞ୍ଚିଥିଲେ । ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରେ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ପୁଲିସ ପକ୍ଷରୁ ଜେସିବି ସହାୟତାରେ ପୁଣି ମାଟି ଖୋଳା ଯାଇଥିଲା । ଗୋବିନ୍ଦ ସାହୁକୁ ଜେରାବେଳେ ମମିତା ମେହେରଙ୍କ ମୋବାଇଲକୁ ଭାଙ୍ଗି ମୃତଦେହକୁ ପୋତିଲା ବେଳେ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଥିଲା । ତେଣୁ ପୁଲିସ ପକ୍ଷରୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ମେଟାଲ ଡିଟେକ୍ଟର ସହାୟତାରେ ସାଇଣ୍ଟିଫିକ ଟିମ ଛାନଭିନ କରିଥିଲା । ସେଠାରୁ ମିଳିଥିବା କିଛି ନମୁନା ପୁଲିସ ସଂଗ୍ରହ କରି ନେଇଥିଲା। ସନ୍ଧ୍ୟା ସମୟରେ ପୁନର୍ବାର ଜେସିବି ସହାୟତାରେ ଶବ ଉଦ୍ଧାର ହୋଇଥିବା ସ୍ଥାନରେ ମାଟି ଖୋଳା ଯାଇଥିଲା। ରାତି ୮ଟା ସମୟରେ ଏହି ଖୋଳା ଜାରି ରହିଥିଲା ।

ପରେ ପୁଲିସ ଡିଆଇଜି କଲେଜ ପରିସରକୁ ଆସି ସନ୍‌ସାଇନ୍‌ ସ୍କୁଲର ତାଲା ଭାଙ୍ଗି ଛାନଭିନ କରି ତଦନ୍ତ କରିଥି‌ଲେ । ସ୍କୁଲ ପରିସରରେ ଥିବା ଯୁକ୍ତତିନି ଛାତ୍ରୀ ହଷ୍ଟେଲକୁ ମଧ୍ୟ ଯାଇଥିଲେ । ଏହାକୁ ଲାଗି ଗୁପ୍ତ କୋଠରି ଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ତାଲା ପଡ଼ିଥିବାରୁ ଭିତରକୁ ନଯାଇ ପୁଲିସ ଟିମ୍‌ ଫେରି ଯାଇଥିଲେ। ପୁଲିସ ଗୁପ୍ତ କୋଠରି ନିକଟକୁ ଯାଇ କାହିଁକି ଫେରିଲା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ଗୁପ୍ତ କୋଠରିକୁ ଅବାଧ ପ୍ରବେଶ ଅନୁମତି ପାଇଥିବା ୨ଜଣ ଅଧ୍ୟାପିକାଙ୍କୁ ସଇନ୍ତଳା ଥାନାକୁ ନେଇ ଜେରା ଚାଲିଛି । ଜେରାବେଳେ ଗୁପ୍ତ କୋଠରିର ରହସ୍ୟ କେତେଦୂର ଉନ୍ମୋଚିତ ହେବ ସେନେଇ ସାଧାରଣରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ସେହିଭଳି କଲେଜ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ମଧ୍ୟ ପୁଲିସ ଜବତ କରିଛି । ମୃତ ମମିତାଙ୍କ ମୋବାଇଲ ଭିତରେ ହତ୍ୟା ରହସ୍ୟ ଥିବା ଯୋଗୁଁ ପୁଲିସ ପକ୍ଷରୁ ଗୁରୁବାର ଦିନତମାମ ଛାନଭିନ କରିଛି । ମୋବାଇଲ ଭିତରେ ଥିବା ପ୍ରମାଣକୁ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଗୋବିନ୍ଦ ସାହୁ ସୁପରିକଳ୍ପିତ ଯୋଜନା କରିଥିବା ଯୋଗୁଁ ଏହାର ଗୁମର ଫିଟାଇବା ପାଇଁ ପୁଲିସ ପକ୍ଷରୁ ମାରାଥନ ଯାଞ୍ଚ ଚାଲିଛି ।