ଏନଏସି ମାନ୍ୟତା ପାଇଁ ଦାବି ବଢୁଛି: ବିଭିନ୍ନ ଅଂଚଳରେ ତେଜୁଛି ଆନ୍ଦୋଳନ

87

କନକ ବ୍ୟୁରୋ: ରାଜ୍ୟ ସରକାର ନିକଟରେ ୩୫ଟି ଅଂଚଳକୁ ଏନଏସି ଭାବେ ଘୋଷଣା କରିଛନ୍ତି । ହେଲେ ଏହି ଘୋଷଣା ପରଠୁ ବିଭିନ୍ନ ଜାଗାରେ ପ୍ରତିବାଦ ଦେଖିବାକୁ ମିଳୁଛି । ଯେଉଁ ଅଂଚଳ ଗୁଡ଼ିକ ଏହି ଏନଏସି ତାଲିକାକରୁ ବାଦ ପଡ଼ିଛନ୍ତି, ସେଠାରେ ବିଭିନ୍ନ ଉପାୟରେ ପ୍ରତିବାଦ କରାଯାଉଛି ।

ରାଜ୍ୟରେ ୩୫ଟି ନୂଆ ଏନଏସି ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ନବୀନ ନିବାସରେ ନେତା, ଜନତାଙ୍କ ଭିଡ ଜମୁଛି । ଅନ୍ୟପଟେ ଏନଏସି ଘୋଷଣାରୁ ବାଦ ପଡିଥିବା ଅଂଚଳରେ ଆନ୍ଦୋଳନ ମୁଣ୍ଡ ଟେକିଛି । ଜନତା ରାସ୍ତାକୁ ଓହ୍ଲାଇଛନ୍ତି ।

ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ । ଜଗତସିଂହପୁର କୁଜଙ୍ଗରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ଅଂଚଳର ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତାଘାଟ ଖାଲି ରହିଛି । ରାଜ୍ୟ ସରକାର କୁଜଙ୍ଗକୁ ଅବହେଳା କରୁଥିବା ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି ।

ସେପଟେ ସୁବର୍ଣ୍ଣପୁର ଉଲୁଣ୍ଡାରେ ମଧ୍ୟ ଦିନିକିଆ ବନ୍ଦ ପାଳନ କରାଯାଇଛି । ଉଲୁଣ୍ଡାକୁ ଏନଏସି ଘୋଷଣା, ଜେଏମଏଫସି କୋର୍ଟ ଓ ସୈନିକ ସ୍କୁଲ ଦାବିରେ ସଚେତନ ନାଗରିକ ମଂଚ ତରଫରୁ ବନ୍ଦ ପାଳନ ହୋଇଛି । ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ଥିବା ଦେଖିବାକୁ ମିଳିଛି ।

ଏନଏସି ଦାବିରେ କାକଟପୁରରେ ପଦଯାତ୍ରା । କିଛି ସ୍ଥାନୀୟ ଯୁବକ ମଙ୍ଗଳା ବାହାରି ନବୀନ ନିବାସ ଅଭିମୁଖେ ବାହାରିଛନ୍ତି । କାକଟପୁରକୁ ଏନଏସି ମାନ୍ୟତା ଦେବାକୁ ସେମାନେ ଦାବି କରିଛନ୍ତି ।

ଆଗକୁ ନିର୍ବାଚନ ଆସୁଛି । ତେଣୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ଏନଏସି ମାନ୍ୟତା ଦାବି ହାସଲ କରିବାକୁ ବିଭିନ୍ନ ଅଂଚଳର ଲୋକ ଭିନ୍ନ ଭିନ୍ନ ତରିକାରେ ପ୍ରତିବାଦ କରୁଛନ୍ତି ।