ଜମ୍ମୁକାଶ୍ମୀରରେ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହେବାକୁ ଖୋଲିଲା ବାଟ । ବିଧାନସଭା ନିର୍ବାଚନ କରିବା ପାଇଁ ସବୁ ଦଳଙ୍କ ଦାବି । ମୋଦୀ କହିଲେ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ କନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ

150

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହେବାକୁ ଖୋଲିଲା ବାଟ । ଜାମ୍ମୁ-କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପ୍ରାୟ ସାଢେ ୩ ଘଂଟା ଧରି ଚାଲିଥିଲା । ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆଗରେ ୫ ବଡ ଦାବି ରଖାଯାଇଛି । ଜାମ୍ୁ-କାଶ୍ମୀରକୁ ରାଜ୍ୟର ମାନ୍ୟତା ଦେବାକୁ ଦାବି କରାଯିବା ସହ ତୁରନ୍ତ ନିର୍ବାଚନ କରିବାକୁ ଦାବି କରାଯାଇଛି ।

ବର୍ତମାନର ସମୟ ଜାମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ମାନ୍ୟତା ଦେବାର ପ୍ରକୃଷ୍ଟ ସମୟ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି । ଜାମ୍ମୁ-କାଶ୍ମୀରର ବିଜେପି ରାଜ୍ୟ ସଭାପତି ରବୀନ୍ଦ୍ର ରୈନା କହିଛନ୍ତି, ସମସ୍ତ ପ୍ରକାର ସମସ୍ୟାାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ବୈଠକରେ ସବୁ ଦଳ ତୁରନ୍ତ ନିର୍ବାଚନ କରିବାକୁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ,ଜାମ୍ମୁ-କାଶ୍ମୀରରେ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୃତିବଦ୍ଧ ଅଛନ୍ତି ।

ଜାମ୍ମୁ-କାଶ୍ମୀର ୮ଟି ରାଜନୈତିକ ଦଳର ୧୪ ଜଣ ତୁଙ୍ଗ ନେତା ଏହି ବୈଠକରେ ଭାଗ ନେଇଥିଲେ । ୨୦୧୮ରେ ମେହବୁବା ମୁଫତି ଓ ବିଜେପି ସରକାର ଭାଙ୍ଗିବା ପରେ ସେବେଠାରୁ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ଏହା ପରେ ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦ ଅନ୍ତର୍ଗତ ସ୍ୱତନ୍ତ୍ର ପାହ୍ୟା ହଟାଇ ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ବିଭକ୍ତ କରିଥିଲେ ।

ପ୍ରତିବାଦକୁ ପ୍ରଶମିତ କରିବା ପାଇଁ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ଭଳି ଅନେକ ତୁଙ୍ଗ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ତେଣୁ ରାଜନୈତିକ ପ୍ରକ୍ରିୟା ଏକପ୍ରକାର ବନ୍ଦ ହୋଇଯାଇଥିଲା । ବୈଠକରେ ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଓ ମେହବୁବା ମୁଫତିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ସାମିଲ ହୋଇଥିଲେ ।