କୋଟିଆରେ ସ୍ଥିତାବସ୍ଥା ବଜାୟ ରହୁ, ପରେ ହେଉ ଆଲୋଚନା । ଦ୍ୱିପାକ୍ଷିକ ଆଲୋଚନା ବେଳେ ଆନ୍ଧ୍ର ନିକଟରେ ସର୍ତ୍ତ ରଖିବାକୁ ଓଡ଼ିଶାରୁ ଉଠିଲା ଦାବି ।

74

କନକ ବ୍ୟୁରୋ: ଗତକାଲି ବିବାଦୀୟ କୋଟିଆ ଅଞ୍ଚଳକୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର୍ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଳେ ଏପଟେ କୋଟିଆରେ ଆନ୍ଧ୍ର ଅଧିକାରୀମାନେ ପ୍ରବେଶ କରି ଗ୍ରାମସଭା କରୁଥିଲେ । ଏହାକୁ ନେଇ ଆଜି କୋରାପୁଟରେ ସବୁଦଳର ନେତାମାନେ ଏକାଠି ହୋଇ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ସେପଟେ ବିରୋଧୀ କହିଛନ୍ତି, କୋଟିଆ ପାଇଁ ଓଡିଶା ସରକାର ଆନ୍ଧ୍ର ନିକଟରେ ପ୍ରଥମେ ସର୍ତ୍ତ ରଖନ୍ତୁ ଏବଂ ସ୍ଥିତାବସ୍ଥା ବଜାୟ ରହୁ ।

ସୂଚନାଯୋଗ୍ୟ ଯେ, ଯେତେବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରୁଥିଲେ, ସେତେବେଳେ କୋଟିଆ ଭିତରେ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ଜମିପଟ୍ଟା ବାଣ୍ଟିବା ପାଇଁ ପ୍ରୟାସ କରୁଥିଲେ । ଫଳରେ କୋଟିଆକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ର କେତେ ବ୍ୟାକୁଳ ତାହା ସ୍ପଷ୍ଟ ଭାବେ ଜଣାପଡୁଛି । ଏପଟେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାରେ କୋଟିଆ ପ୍ରସଙ୍ଗକୁ ନେଇ ବଳିଷ୍ଠ ପଦକ୍ଷେପ ନିଆଯାଇନାହିଁ । ମୁଖ୍ୟ ଶାସନ ସଚିବ ସ୍ତରୀୟ ଆଲୋଚନା ଉପରେ ଛାଡି ଦିଆଯାଇଛି । ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଅନେକ ପ୍ରସଙ୍ଗ ରହିଛି, କିନ୍ତୁ କୋଟିଆକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି । ତେଣୁ ଆନ୍ଧ୍ର ସହ ଆଲୋଚନା ବେଳେ କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଓଡ଼ିଶା ସର୍ତ୍ତ ରଖୁ ବୋଲି ଦାବି ହୋଇଛି ।

ବର୍ଷ ବର୍ଷ ଧରି କୋଟିଆ ପ୍ରସଙ୍ଗରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି । ପୋଲାଭରମ ଠାରୁ ନେରେଡି ବ୍ୟାରେଜ୍ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ ସହମତି ହୋଇପାରୁନି । ଆନ୍ଧ୍ରର ଏକପାଖିଆ କାର୍ଯ୍ୟକଳାପକୁ ଓଡ଼ିଶା ବିରୋଧ କରୁଥିବା ସ୍ୱତ୍ୱେ ସେଥିରୁ ବିରତ ହେଉନି ପଡ଼ୋଶୀ । ଅଭିଯୋଗ ହୋଇଛି, ନିଜ ସ୍ୱାର୍ଥ ସାଧନ ପାଇଁ ଜଗନ ଓଡ଼ିଶା ଆସିଥିଲେ, କାମ ହାସଲ କରି ଚାଲିଗଲେ । କିନ୍ତୁ ଏଥିରୁ କିଛି ଫାଇଦା ପାଇଲାନି ଓଡ଼ିଶା । କୋଟିଆକୁ ନେଇ କୋରାପୁଟରେ ସବୁ ଦଳର ନେତା ଏକାଠି ହୋଇଛନ୍ତି । ଆନ୍ଧ୍ରର ଅନୁପ୍ରବେଶକୁ କିପରି ରୋକିହେବ, କିପରି କୋଟିଆକୁ ଅକ୍ତିଆର କରିବା ପାଇଁ ପଡ଼ୋଶୀ ରାଜ୍ୟର ଯୋଜନାକୁ ପଣ୍ଡ କରିହେବ, ଏ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି ।

ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୋଟିଏ ଟେବୁଲରେ ବସିଲେ, ଆଲୋଚନା ବି କଲେ, ସୁଫଳ କଣ ମିଳିବ, ଭବିଷ୍ୟତ କହିବ । ତେବେ ଗୋଟିଏ କଥା ସ୍ପଷ୍ଟ, ଯେଉଁମବୁ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍କର୍ସ ବାହାରିବ । ସେଥିରୁ ଅଧିକାଂଶ ପ୍ରକଳ୍ପ ଚୂଡାନ୍ତ ପର୍ଯ୍ୟାୟରେ ପହଁଚି ସାରିଛି । ଏଭଳି ସ୍ଥଳରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ତାଙ୍କ ରାଜ୍ୟର ସ୍ୱାର୍ଥ ସାଧନ କରି ଚାଲି ଯାଇଥିବା ଚର୍ଚ୍ଚା ହେଉଛି । ଆଉ ଏହି ଆଲୋଚନାରେ ଓଡ଼ିଶା ବ୍ୟାକଫୁଟକୁ ଆସିଯାଇଛି ।