ଫନି ଭାଙ୍ଗିଥିଲା ଘର, ଏଯାଏଁ ମିଳୁନି ସହାୟତା । ନ୍ୟାୟ ପାଇଁ ତହସିଲ ଅଫିସ ବାରଣ୍ଡାରେ ପୂରା ପରିବାର

82

କନକ ବ୍ୟୁରୋ: ସରକାର ! ଆମକୁ ନ୍ୟାୟ ଦିଅ, ଆମେ କି ଭୁଲ କରିଥିଲୁ ଯେ ଆମକୁ ଏମିତି ଦଣ୍ଡ କାହିଁକି ଦେଉଛ ? ଆଉ କେତେ ଦିନ ଏମିତି ଏ ଭଙ୍ଗା ଘରେ ରହିବୁ ? ଫନିକୁ ତିନି ବର୍ଷ ବିତି ଗଲାଣି ଆଉ କେବେ ମିଳିବ ଘର? ଦୟାକରି ଆମକୁ ନ୍ୟାୟ ଦିଅ, ନ୍ୟାୟ ଦିଅ…

ଶୀତ ରାତିରେ ଯେତେବେଳେ ସାରା ସହର ଶୋଇ ପଡିଛି । ଠିକ୍ ସେହି ଜାଡ ରାତିରେ ତହସିଲ ଅଫିସର ବାରଣ୍ଡାରେ ନ୍ୟାୟ ପାଇଁ ପଡିଛନ୍ତି ପୂରା ପରିବାର । କଅଁଳା ଶିଶୁକୁ ଧରି ଧାରଣା ଦେଇଛି ମାଆ । ଗୋଟିଏ ଦାବି ଆମକୁ ନ୍ୟାୟ ଦିଅ ଆମକୁ ସହାୟତା ଦିଅ ।

ତେବେ ଅଭିଯୋଗ ଅନୁସାରେ ନ୍ୟାୟ ଓ ପ୍ରାପ୍ୟ ପାଇଁ ଧାରଣାରେ ବସିଛନ୍ତି ପିପିଲି ତହସିଲ ଅନ୍ତର୍ଗତ ରୂପଦେଇପୁର ପଞ୍ଚାୟତ ନାହାମଙ୍ଗପାଟଣାର ଟିକିନା ମଳିକ ଓ ତାଙ୍କ ପରିବାର । ଗତ ଫନି ବାତ୍ୟାରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଆଉ ପରେ ପ୍ରଶାସନ ତରଫରୁ ଆଂଶିକ ସହାୟତା ଦିଆଯାଇଥିଲା । ବାତ୍ୟା କ୍ଷତିଗ୍ରସ୍ତ ଘରକୁ ସଜାଡିବାକୁ ସେତିକି ଟଙ୍କା କେଉଁ କାମରେ ଲାଗି ନଥିଲା ବରଂ ସେ ଘର ଏବେ ମାଟିରେ ମିଶିଗଲାଣି ।

ଫନି ସହାୟତା, ଓ ଫନି ଘର ପାଇବା ଆଶାରେ ଗତ ୩ ବର୍ଷ ହେବ ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଟିକିନା । ହେଲେ ତହସିଲଦାର ତାଙ୍କ କଥା ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି । ଆଉ ସବୁଆଡୁ ନିରାଶ ହେବା ପରେ ତହସିଲଦାରଙ୍କୁ ଭେଟି ସମସ୍ୟା ସମାଧାନ ନହେବା ଯାଏଁ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ ଟିକିନା । ଆଉ ତାପରେ ଗତକାଲି ରାତିରୁ ଆଜି ଯାଏଁ ସହାୟତା ପାଇଁ ତହସିଲ ବାରଣ୍ଡାରେ ଧାରଣା ଦେଇଛନ୍ତି ।

ସରକାରୀ ବାବୁମାନେ ବୁଝାଇବାକୁ ବାରମ୍ବାର ଚେଷ୍ଟା କଲେ ବି ନାକେଦମ ହେଲେଣି ସମସ୍ତେ । କିନ୍ତୁ ନିଜ ଜିଦରେ ଅଟଳ ରହି ପୂରା ପରିବାର ସହ ଶୀତରେ ଧାରଣା ଦେଇଛନ୍ତି ଟିକିନା । ଆଶା କରିବା ସରକାର ଓ ପ୍ରଶାସନ ତାଙ୍କ ସମସ୍ୟାର ସମାଧାନ କରି ତାଙ୍କୁ ତୁରନ୍ତ ସାହାଯ୍ୟ କରିବେ ।