ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବି: ଡିସେମ୍ବର ୧ରେ କଂଗ୍ରେସ କରିବ ‘ତୁଳସୀ ଯାତ୍ରା’

30

କନକ ବ୍ୟୁରୋ: ସଂକୀର୍ତନ ସତ୍ୟାଗ୍ରହ ପରେ ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସ କରିବ ତୁଳସୀ ଯାତ୍ରା । ଡିସେମ୍ବର ପହିଲାରୁ ଏହି ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ଏନେଇ ୩୧୪ଟି ବ୍ଲକ୍ରୁ ସଂଗ୍ରହ କରାଯାଇ, ଭୁବନେଶ୍ୱରରୁ ପୁରୀ ଏକ ସ୍ୱତନ୍ତ୍ର ଯାତ୍ରା କରିବ କଂଗ୍ରେସ । ଆଉ ଏହି ତୁଳସୀକୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯିବ । ଆଉ କଂଗ୍ରେସର ତୁଳସୀ ଯାତ୍ରାକୁ ନେଇ ତେଜିଛି ରାଜନୀତି ।

ଗତ ୯ ତାରିଖରେ ସଂକୀର୍ତନ ସତ୍ୟାଗ୍ରହ କରିବା ପରେ ଡିସେମ୍ବର ପହିଲାରେ ତୁଲସୀ ଯାତ୍ରା କରିବ କଂଗ୍ରେସ । ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲି ଗଣତି, ମଣତି, ମରାମତି କରିବା ଦାବି ପ୍ରତି ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ଦଳ । ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତି ନିଆଯାଇଛି । କଂଗ୍ରେସର ଯୋଜନା ଅନୁସାରେ –

କଂଗ୍ରେସର ‘ତୁଲସୀ ଯାତ୍ରା’
୩୧୪ ବ୍ଳକରୁ ତୁଳସୀ ପତ୍ର ସଂଗ୍ରହ କରାଯିବ
କଂଗ୍ରେସ ଜିଲ୍ଲା ସଭାପତି ତୁଳସୀ ନେଇ ଭୁବନେଶ୍ୱର ଆସିବେ
ଡିସେମ୍ବର ୧ରେ ଆରମ୍ଭ ହେବ ତୁଳସୀ ଯାତ୍ରା
ଭୁବନେଶ୍ୱର କଂଗ୍ରେସ ଭବନରୁ ପୁରୀ ଅଭିମୁଖେ ଯିବେ କଂଗ୍ରେସ ନେତା ଓ କର୍ମୀ

କେବଳ ସେତିକି ନୁହେଁ, ପରିକ୍ରମା ପ୍ରକଳ୍ପର ରୂପରେଖକୁ ନେଇ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ୨୦୨୪ ନିର୍ବାଚନ ପୂର୍ବରୁ ଦଳକୁ ସଂଗଠିତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି କଂଗ୍ରେସ । ଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଭାବପ୍ରବଣତା ଯୋଡି ହୋଇଥିବାରୁ ଏହି ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ ଦଳ । ଏପଟେ କଂଗ୍ରେସର ତୁଳସୀ ଯାତ୍ରାକୁ ନେଇ ବିଜେଡି କହିଛି ରାଜ୍ୟର ବିକାଶ ଆଗକୁ ବଢୁଥିବାରୁ ବିରୋଧୀଙ୍କ ଏଭଳି କାର୍ଯ୍ୟକ୍ରମର କିଛି ପ୍ରଭାବ ପଡିବନି । ବିଜେପିର ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ, ବିଜେଡିର ଲୋକସଂପର୍କ ପଦଯାତ୍ରା ପରେ କଂଗ୍ରେସର ତୁଳସୀ ଯାତ୍ରା, ରାଜ୍ୟ ରାଜନୀତିକୁ ସରଗରମ କରିିଛି ।