କନକ ବ୍ୟୁରୋ : ଓଡ଼ିଶାରେ ଖଜାର ପରମ୍ପରା ବହୁ ପୁରୁଣା । ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରେ ଲାଗି ହୋଇ ଆସୁଛି ଖଜା । ଛପନ ଭୋଗର ଅଂଶବିଶେଷ ଭାବେ ପରିଚୟ ପାଇଛି ଖଜା । ହେଲେ, ପୁରୀର ଖଜାକୁ ସ୍ୱୀକୃତି ମିଳିବାର ଢ଼େର ପୂର୍ବରୁ ବିହାର ଖଜାକୁ ମିଳିଛି ଜିଆଇ ମାନ୍ୟତା । ଯାହାକୁ ନେଇ ଜୋରଧରିଛି ଚର୍ଚ୍ଚା । ପୁରୀ ଖଜାକୁ କେବେ ମିଳିବ ଜିଆଇ ଟ୍ୟାଗ୍? ଖଜାର ଉତ୍ପତି ଯଦି ଓଡ଼ିଶାରେ ସ୍ୱୀକୃତି ମିଳିବାରେ ଅସୁବିଧା କେଉଁଠି? ପୁରୀ ଖଜାର ରୂପ, ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ସ୍ୱତନ୍ତ୍ର । ଖଜା ଖାଲି ମିଠା ନୁହେଁ, ମସଲା ଖଜା, ଲୁଣି ଖଜା, ଘିଅ ଖଜା ଆଦି ବିଭିନ୍ନ ଭେରାଇଟର ଖଜା ବିକ୍ରି ହେଉଛି । କାହିଁ କେଉଁ ଅମଳରୁ ଶ୍ରୀମନ୍ଦିର ନିକଟରେ ଖଜା ପଟି ମଧ୍ୟ ରହିଛି । ପୁରୀ ଖଜାର ଐତିହାସିକ ପୃଷ୍ଠଭୂମୀ ମଧ୍ୟ ଖୁବ୍୍ ମଜବୁତ ବୋଲି କହିଛନ୍ତି ଐତିହାସିକ ।

Kanak News is now on WhatsApp
Join and get latest news updates delivered to you via WhatsApp
ପୁରୀ ଖଜାର ପ୍ରସ୍ତୁତି ପ୍ରଶାଳୀ ସ୍ୱତନ୍ତ୍ର ଥିବା ଯୋଗୁଁ ଭୌଗଳିକ ସୂଚକାଙ୍କ ଅଧୀନରେ ପଂଜିକୃତ କରିବା ପାଇଁ ଆବେଦନ କରିବାକୁ ନିଷ୍ପତି ନିଆଯାଇଛି । ତେବେ ପୁରୀ ଖଜାକୁ ପଛରେ ପକାଇ ବିହାର ସିଲାଓ ଖଜାକୁ ଜିଆଇ ମାନ୍ୟତା ମିଳିବା ପରେ ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅଧିକ ତତ୍ପର ହୋଇଉଠିଛନ୍ତି ।
ପୁରୀ ସହରରେ ଶତାଧିକ ଖଜା ଦୋକାନୀ ଥିବା ବେଳେ ଏକ ହଜାରରୁ ଅଧିକ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ଅଛନ୍ତି । ହେଲେ ଏପର୍ଯ୍ୟନ୍ତ ଖଜା ଦୋକାନୀଙ୍କୁ ନେଇ କ୍ଲଷ୍ଟର ହୋଇପାରିନାହିଁ । ସେହିପରି ପୁରୀ ଖଜାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ମଧ୍ୟ ତତ୍ପରତା ନାହିଁ । ତେବେ ଜିଲ୍ଲା ପ୍ରଶାସନକୁ ଏନେଇ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ଅତିରିକ୍ତ ଜିଲ୍ଲପାଳ କହିଛନ୍ତି-ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପ୍ରଶାସନିକ ସ୍ତରରରେ ଉଦ୍ୟମ କରାଯିବ ।
ସାମର୍ଥ୍ୟ ଅଛି, ସମ୍ଭାବନା ଅଛି । ହେଲେ ସମାନ୍ୟ ଉଦ୍ୟମ ଅଭାବ ଯୋଗୁଁ ପୁରୀ ଖଜା ତାର ପ୍ରକୃତ ହକ୍ ପାଇବାରେ ବଂଚିତ ରହିଛି । ତେବେ ଦେଖିବାର କଥା ଓଡ଼ିଶାର ଖଜାକୁ ଜିଆଇ ମାନ୍ୟତା ମିଳୁଛି କେବେ?