କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାକୁ ମରୁଡି ଘୋଷଣା ଦାବି ତେଜିବାରେ ଲାଗିିଛି । ଜିଲ୍ଲାର କମ୍ ବର୍ଷା ଯୋଗୁଁ ବିଭିନ୍ନ ବ୍ଲକରେ ଚାଷ ଜମି ଫାଟି ଆଁ କରିଛି । ଧାନ ଗଛ ପୋଡି ଗଲାଣି, ତେଣୁ ତୁରନ୍ତ ମରୁଡି ଘୋଷଣା କରିବା ଦାବିରେ ଆଜି ଛତ୍ରପୁରରେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ । ଶୋଭାଯାତ୍ରା କରି ସହର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ସହ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ଗଞ୍ଜାମ ଜିଲ୍ଲାକୁ ମରୁଡି ଘୋଷଣା କରିବା, ଜିଲ୍ଳାର ସମସ୍ତ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରିବା, ଚାଷୀଙ୍କ ଉପରୁ ସମସ୍ତ କୃଷି ଋଣ ଛାଡ କରିବା, ବିଦ୍ୟୁତ୍ ଦେୟ ଛାଡ, ସମସ୍ତ ଚାଷୀଙ୍କ ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏଥିସହ ଚାଷ ଉପରେ ନିର୍ଭରଶୀଳ ପରିବାରକୁ ମାସିକ ୫ହଜାର ପେନସନ ଯୋଗାଇ ଦେବାକୁ ଦାବି କରିଛି ଅଖିଳ ଭାରତ କୃଷକ ସଭା ନେତୃତ୍ୱରେ ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀ ।