କନକ ବ୍ୟୁରୋ: ଛତ୍ରପୁର ଅଞ୍ଚଳର ଯବାନ ଡିଲେଶ୍ୱର ପାତ୍ରଙ୍କ ଆକ୍ରମଣକୁ ଏହା ଭିତରେ ୪ଦିନ ବିତିଲାଣି । ଏହା ଭିତରେ ତାଙ୍କର ମୃତ୍ୟୁ ହୋଇ ସାରିଛି । ଅନ୍ତିମସଂସ୍କାର ବି ସରିଛି । ହେଲେ, ଡିଲେଶ୍ୱରଙ୍କୁ ଯେଉଁମାନେ ଆକ୍ରମଣ କରିଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବାବେଳେ, ଆଉ ୪ଜଣ ଫେରାର ଅଛନ୍ତିି । ସେମାନେ ଏବେ ବି ପୋଲିସ ପାଇଁ ଅପହଂଚ ହୋଇ ରହିଛନ୍ତି । ଅଭିଯୁକ୍ତମାନେ କୁଆଡେ ଗଲେ, ସେ ନେଇ ଗଞ୍ଜାମ ପୋଲିସ କୌଣସି ସୂଚନା ଦେଇନାହିଁ । ତେବେ ଦୁଇଟି ଟିମ୍ କରି ତଦନ୍ତ କରାଯାଉଛି ବୋଲି ଗତକାଲି କହିଥିଲେ ଗଞ୍ଜାମ ଏସପି । କିନ୍ତୁ ଜଣେ ଯବାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ତାପରେ ତାଙ୍କର ମୃତ୍ୟୁ ହେବାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

Advertisment

ଗତ ରବିବାର ଡିଲେଶ୍ୱର ଗୋପାଳପୁରରେ ଆୟୋଜିତ ଏକ କ୍ରିକେଟ ମ୍ୟାଚରେ ଅତିଥି ହୋଇ ଯାଇଥିଲେ । ସେଠାରେ କୌଣସି କାରଣରୁ ପରାଜିତ ଦଳର କିଛି ଖେଳାଳୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ତାପରେ ଡିଲେଶ୍ୱର ଘରକୁ ଫେରୁଥିବାବେଳେ କିଛି ଦୁବୃର୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁରର ଏମକେସିଜି ଓ ତାପରେ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶେଷରେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।