କନକ ବ୍ୟୁରୋ : ଦିନକୁ ଦିନ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ବଢ଼ୁଛି । ତେଣୁ ଶୁଦ୍ଧ ଖାଇବା ତେଲ ହେଉ କିମ୍ବା ଖାଦ୍ୟ ସାମଗ୍ରୀ ପାଇବା ପାଇଁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି । ଖାଇବା ତେଲରୁ ଅଧିକାଂଶ ରୋଗ ହେଉବେଳେ ଲୋକମାନେ ଏବେ ଦେଶୀ ଘଣା ତେଲ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଉ ଲୋକଙ୍କ ଚାହିଦାକୁ ନଜରରେ ରଖି କଟକର ଜଣେ ଗୃହିଣୀ ଆରମ୍ଭ କରିଛନ୍ତି କାଠ ଘଣା ସୋରିଷ ତେଲ ୟୁନିଟ୍ । ୨ ବର୍ଷ ତଳେ ଏହି ୟୁନିଟ୍ ଆରମ୍ଭ କରିଥିଲେ ରୀନାରାଣୀ । ଏବେ ଖୁବ୍ ଭଲ ଚାଲିଛି । ନିଜେ ରୋଜଗାର କରିବା ସହ ଆଉ ୨ ଜଣଙ୍କୁ ସେ ଏହି କାମରେ ନିୟୋଜିତ କରିଛନ୍ତି । ସେମାନେ ମଧ୍ୟ ଏହାଦ୍ୱାରା ରୋଜଗାର ପାଇପାରୁଛନ୍ତି ।

୩ ଲକ୍ଷ ଟଙ୍କାରେ ମେସିନ୍ କିଣି ଏହି କାମ ଆରମ୍ଭ କରିଥିଲେ ରିନାରାଣୀ । ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ମହିଳା ଜଣଙ୍କ ଏହି ବ୍ୟବସାୟ କରି ଲାଭବାନ ହୋଇପାରିଛନ୍ତି । ଖାଲି ସୋରିଷ ନୁହେଁ ବାଦାମ, ରାଶି ତେଲ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ତେଲ ବିକ୍ରି କରିବା ସହ ସେଥିରୁ ବାହାରୁଥିବା ଖଦଡ଼ ଅଂଶକୁ ଖତ ସାର ଓ ମାଛ ଖାଦ୍ୟ ଭାବେ ବ୍ୟବହାର ପାଇଁ ବିକ୍ରି କରାଯାଉଛି । ସେଥିରୁ ମଧ୍ୟ କିଛି ରୋଜଗାର ମିଳୁଛି । ତେଲ ଲିଟର ପିଛା ୩୦୦ ଟଙ୍କାରେ ବିକ୍ରି କରାଯାଉଛି ।

୧୦ କିଲୋ ଗୋଟା ସୋରିଷରୁ ପାଖାପାଖି ଅଢ଼େଇରୁ ୩ ଲିଟର ତେଲ ବାହାରିଥାଏ । ତେଲ ବିକ୍ରି କରିବା ସହ ପିଡ଼ିଆ ବିକ୍ରି କରି ଆତ୍ମନିର୍ଭର ହୋଇପାରିଛନ୍ତି ମହିଳା । ମହିଳାଙ୍କ ଏଭଳି ଉଦ୍ୟମ ଏବେ ଅନ୍ୟମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।