ବଢୁଛି ରେଶମୀ ଜୁଏଲାରୀର ଚାହିଦା । ବ୍ୟବସାୟ କରି ଭଲ ରୋଜଗାର କରିବା ସହ ସ୍ୱାବଲମ୍ବୀ ହେଉଛନ୍ତି ମହିଳା ।

67

କନକ ବ୍ୟୁରୋ: ଗହଣା କହିଲେ ସାଧାରଣତ୍ୱ ସୁନା, ରୁପା, ହିରା ଏବଂ ବର୍ତମାନ ବଜାରରେ ମିଳୁଥିବା ସିଟି ଗୋଲ୍ଡ ଓ ଇମିଟେସନ୍ ଗହଣା ବାବଦରେ ବିଷୟରେ ଜାଣିଛୁ । ହେଲେ ରେଶମୀ ଗହଣା କହିଲେ ହଠାତ୍ ସମସ୍ତଙ୍କୁ ଅଜବ୍ ଲାଗିବା ସ୍ୱଭାବିକ୍ । କାହିଁକି ନାଁ ଏହା ବାବଦରେ ଖୁବ୍ କମ୍ ଲୋକ ଜାଣିଥିବେ । ହେଲେ ଏହାର ଚାହିଦା ଏବେ ଧିରେ ଧିରେ ବଢ଼ିବାରେ ଲାଗିଛି । ଆଉ ଏହି ବ୍ୟବସାୟ କରି ଭଲ ଦୁଇପଇସା ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ବାରିପଦାର ମାତୃ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଯୁବତୀ ।

ରେଶମୀ ଗହଣା ପ୍ରସ୍ତୁତିରେ ବ୍ୟସ୍ତ ମହିଳା । ଅତି ଯତ୍ନର ସହ ତିଆରି କରୁଛନ୍ତି ୫୦ ରୁ ୬୦ ପ୍ରକାରର ରେଶମୀ ଗହଣା । ଘରର ସବୁ କାମଧନ୍ଦା ସରିବା ପରେ ବଳକା ସମୟରେ ଦୁଇ ପଇସା ରୋଜଗାର କରିବା ଆଶାରେ ମହିଳାଙ୍କ ହାତକୁ ତର ନାହିଁ । ଏମାନେ ତିଆରି କରୁଥିବା ଏସବୁ ଗହଣାକୁ ନେଇ ବିଭିନ୍ନ ମେଳା ଓ ପ୍ରଦର୍ଶନୀରେ ଷ୍ଟଲ ଖୋଲିଥାଏ ବାରିପଦାର ମାତୃଶକ୍ତି ପ୍ରଡ୍ୟୁସର ଗ୍ରୁପ୍ । ଆଉ ବାର୍ଷିକ ପ୍ରାୟ ୯ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରେ ଏହି ସଂଗଠନ ।

କରୋନା ପାଇଁ ୨୦୨୦ରେ ସମସ୍ତ ପ୍ରଦର୍ଶନୀ ବନ୍ଦ ରହିବାରୁ ମହିଳା ସଂଗଠନ କିଛି କ୍ଷତି ସହିଛି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓ.ଏ.ଏସ ପ୍ରବେସନାର ଭାବେ କାର୍ଯ୍ୟରତ ଜ୍ଞାନରଂଜନ ଦାସ, ମଧୁସ୍ମୀତା ସିଂ ଓ ବିନିତା ବିଜୟିନୀ ମହିଳାଙ୍କୁ ଭେଟି ସେମାନଙ୍କ ନୁତନ ପ୍ରୟାସକୁ ପ୍ରଶଂସା କରିବା ସହ କରୋନା କାଳରେ କେମିତି ଅନ୍ଲାଇନ୍ ମାର୍କେଟିଂ କରାଯାଇପାରିବ ସେନେଇ ବାଟ ଦେଖାଇଛନ୍ତି ।

ପ୍ରଥମେ ଛତୁ ଚାଷ, ଛତୁଆ ପ୍ରସ୍ତୁତ କରୁଥିଲା ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ହେଲେ କିଛି ନୁଆ କରିବାର ଆଶା ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମୁଖ୍ୟ ପ୍ରଭାତ ନଳିନୀ ଦାସ ୨୦୧୩ରେ ରାଜ୍ୟସ୍ଥାନ କୋଟା ଯାଇ ରେଶମୀ ଗହଣା ପ୍ରସ୍ତୁତ ପ୍ରଶିକ୍ଷଣ ନେଇଥିଲେ । ସେଠାରୁ ଫେରି ନିଜ ଗ୍ରୁପର ଅନ୍ୟ ୪୦ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦେଇ ଏହି ରେସମୀ ଗହଣା ବ୍ୟବସାୟକୁ ଆଗକୁ ବଢାଇଛନ୍ତି ।