ପରିତ୍ୟକ୍ତ ଅବସ୍ଥାରେ ରାଉରକେଲା ସହରରେ ଥିବା ବହୁ ପୁରାତନ ପୋଖରୀ । ପାଣିରେ ଭାସୁଛି ଅଳିଆ ଅବର୍ଜନା, ଦୁର୍ଗନ୍ଧରେ ଫାଟି ପଡ଼ୁଛି ପୋଖରୀ ପାଣି

62

କନକ ବ୍ୟୁରୋ : ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ରାଉରକେଲା ସହରରେ ଥିବା ବହୁ ପୁରାତନ ପୋଖରୀ । ଯୁଆଡ଼େ ଚାହିଁବ ସିଆଡ଼େ କୁଢ଼ କୁଢ଼ ଅଳିଆ । ଦିନେ ପରିସ୍କାର ପରିଚ୍ଛନ୍ନ ଥିବା ଏହି ପୋଖରୀ ପାଣିର ରଙ୍ଗ ଏବେ ନୀଳ ପଡ଼ିଯାଇଛି । ଦୁର୍ଗନ୍ଧରେ ଫାଟି ପଡ଼ୁଛି ପୋଖରୀ ପାଣି । କେବଳ ମଇଁଷି ଗାଧୋଇବା ଛଡ଼ା ଏହି ପୋଖରୀ ପାଣି କେଉଁ କାମରେ ଆସୁନି । ପୂଜା ପାଠ ଠାରୁ ଆରମ୍ଭ କରି ଗାଧୁଆ-ପାଧୁଆ ସବୁ କାମ ପାଇଁ ଏହି ପୋଖରୀ ଉପରେ ନିର୍ଭର କରୁଥିଲେ ସହରବାସୀ । ଏବେ ଖରା ବଢ଼ିବା ସହ ପାଣି ଟୋପାଏ ପାଇଁ ସହରବାସୀ ହନ୍ତସନ୍ତ ହେଉଛନ୍ତି । ତେଣୁ ପୁନରୁଦ୍ଧାରପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗୋପବନ୍ଧୁପାଲି, ଟିମ୍ବର କଲୋନୀ, ମଧୁସୂଦନପାଲି, ମାଲଗୋଦାମ ଓ ରେଲୱେ କଲୋନୀର ହଜାର ହଜାର ଲୋକ ଏହି ପୋଖରୀ ଉପରେ ନିର୍ଭର କରୁଥିଲେ । ଏବେ ପୋଖରୀ ପାଣି ତ ବ୍ୟବହାର କରିବା ଦୂରର କଥା ଦୁର୍ଗନ୍ଧ ଯୋଗୁଁ ପୋଖରୀ କୂଳକୁ ଯାଇ ହେଉନାହିଁ । ରାଉରକେଲା ମହାନଗର ନିଗମ ପକ୍ଷରୁ ପୋଖରୀର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ପୋଖରୀଟି ରେଳ ବିଭାଗ ଅଧିନରେ ଥିବାରୁ ରେଳ ବିଭାଗ ଅନୁମତି ନନେଇ କାମ ଚାଲୁଥିବାରୁ ଆରପିଏଫ କାମକୁ ବନ୍ଦ କରିଦେଇଛି । ସେବେଠୁ ଏପରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଏହି ପୋଖରୀ ।

ଏବେ ଖରା ବଢ଼ୁଥିବା ବେଳେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଏହାର ପୁନରୁଦ୍ଧାର କରିବା ପାଇଁ ଦାବି ହୋଇଛି ।