କନକ ବ୍ୟୁରୋ: ଦିନକୁ ଦିନ ବଜାରରେ ବଢୁଛି ପ୍ଲାଷ୍ଟିକ୍ ଓ ଫ୍ୟାନସି ଦୀପର ଚାହିଦା । ଆଉ ବୁଡିବାକୁ ବସିଲାଣି କୁମ୍ଭକାରଙ୍କ କୂଳବେଉସା । ମାଟି ଦୀପକୁ ଛାଡି ପ୍ଳାଷ୍ଟିକ୍ ଦୀପ ମୁହାଁ ଆଜି କାଲିର ଲୋକେ । ଯାହାକୁ ନେଇ ଚିନ୍ତାରେ କୁମ୍ଭାକାର ପରିବାର ।

ପରମ୍ପରା ଅନୁସାରେ ଦୀପାବଳୀ ଆସିଲେ ସବୁଠୁ ପ୍ରଥମେ ଖୋଜାପଡେ ମାଟି ଦୀପ । ଏହି ଦିନରେ ମାଟି ଦୀପ ଲଗାଇ ମା’ ଲକ୍ଷ୍ମୀଙ୍କ ଆବାହନ କରାଯାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ସମୟ ସହ ଏହି ପରମ୍ପରା ବଦଳିବାରେ ଲାଗିଛି । ମାଟି ଦୀପ ବଦଳରେ ଲୋକେ ପ୍ଲାଷ୍ଟିକ ନିର୍ମିତ ବିଭିନ୍ନ ଦୀପ ଓ ରଙ୍ଗ ବେରଙ୍ଗର ବିଦ୍ୟୁତ୍ ଆଲୋକମାଳା ଘର ଚାରିପାଖକୁ ଆଲୋକିତ କରୁଛନ୍ତି । ଯାହା ଫଳରେ ଦିନକୁ ଦିନ କୁମ୍ଭକାରମାନେ ମାଟି ଦୀପ ବନାଇଥିଲେ ବି ଆଗଭଳି ବିକ୍ରି ହେଉ ନଥିବାରୁ ଚିନ୍ତାରେ ପଡିଛନ୍ତି । ଏଥିସହ ଗ୍ରାମୀଣ କାରିଗରଙ୍କୁ ଉପଯୁକ୍ତ ତାଲିମ ଦେଇ ସରକାରୀ ପ୍ରୋତ୍ସାହନ ଦେଲେ ସେମାନେ ରୋଜଗାରକ୍ଷମ ହେବା ସହ ନିଜ ବୃତିକୁ ବଞ୍ଚାଇ ପାରନ୍ତେ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କୁମ୍ଭକାର ।

ସେହିପରି କଟକ ଜିଲ୍ଲା ସାଲେପୁର ଅଞ୍ଚଳ ରାଇସୁଙ୍ଗୁଡାରେ ଦିନରାତି ଏକକରି ଏଠି କୁମ୍ଭକାରମାନେ ବିଭିନ୍ନ ପ୍ରକାରର ଦୀପ ପ୍ରସ୍ତୁତିରେ ଲାଗିଛନ୍ତି । ଦୀପାବଳୀରେ ବିକ୍ରି କରି ଭଲ ଦିପଇସା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି । ହେଲେ ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଗଲା ଭଲ ହୁଅନ୍ତା ବୋଲି କହିଛନ୍ତି କୁମ୍ଭକାର । ତେବେ ରାତି ପାହିଲେ ଦୀପାବଳୀ । ଏହି ଆଲୋକର ପର୍ବ ଦୀପାବଳୀରେ ଦୀପ ଜାଳିବା ପାଇଁ ଲୋକେ ଦୀପ କିଣି ନେଉଛନ୍ତି । ତେବେ ପ୍ଲାଷ୍ଟିକ ଦୀପ ବଦଳରେ ପାରମ୍ପରିକ ମାଟି ଦୀପ କିଣିବାକୁ ଆହ୍ୱାନ ଦେଇଛନ୍ତି ପରିବେଶବିତ ।