ଭିନ୍ନକ୍ଷମ ଭତା ବଢ଼ାଇବାକୁ ଜୋର ଧରିଲା ଦାବି । ଭତା ରାଶି ବୃଦ୍ଧି ନେଇ ବିଚାର କରିବାକୁ ହାଇକୋର୍ଟ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶ

ଭିନ୍ନକ୍ଷମ ଭତା ବଢ଼ାଇବାକୁ ଜୋର ଧରିଲା ଦାବି । ଭତା ରାଶି ବୃଦ୍ଧି ନେଇ ବିଚାର କରିବାକୁ ହାଇକୋର୍ଟ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶ

କନକ ବ୍ୟୁରୋ : ରାଜଧାନୀର ଜନଗହଳି ରାସ୍ତା ଭିତରେ ନିଜର ଟ୍ରାଇ ସାଇକେଲ ନେଇ ଯାଉଛନ୍ତି ଅନା ଦାସ । ଗତ କିଛି ବର୍ଷ ହେବ ସେ ରୋଗରେ ପୀଡିତ ହୋଇଥିଲେ । ପରିବାର ସହ ଭୁବନେଶ୍ୱର ରାମକୃଷ୍ଣ ଲେପ୍ରୋସି କଲୋନୀରେ ରହୁଛନ୍ତି । ୪୦ ଟଙ୍କାରୁ ୫୦୦ ଟଙ୍କା ପହଁଚିଛି ତାଙ୍କର ଭତା ରାଶି, କିନ୍ତୁ ବର୍ତମାନର ମହଙ୍ଗା ଯୁଗରେ ୫୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ ଭଳି । ପୂର୍ବରୁ ବି ଭିକ୍ଷାବୃତି କରୁଥିଲେ, ଆଉ ଏବେ ମଧ୍ୟ ସକାଳ ହେଲେ ବାହାରି ପଡନ୍ତି ଭିକ୍ଷା ମାଗିବାକୁ । ଭିନ୍ନକ୍ଷମ ଭତା ରାଶି ବଢିଗଲେ ସମ୍ମାନ ସହ ବଂଚିହୁଅନ୍ତା ବୋଲି କହିଛନ୍ତି ଅନା ଦାସ ।

ରାଜ୍ୟରେ ଭିନ୍ନକ୍ଷମଙ୍କୁ ମିଳୁଛି ଭତା । କାହାକୁ ୫୦୦ ଟଙ୍କା ମିଳୁଛି ତ କାହାକୁ ମିଳୁଛି ୭୦୦ କିମ୍ବା ୯୦୦ ଟଙ୍କା । ବର୍ତମାନର ମହଙ୍ଗା ଯୁଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାସିକ ଭତାରେ ଭିନ୍ନକ୍ଷମମାନେ ଚଳିବା କଷ୍ଟକର ହୋଇପଡିଛି । ଭିନ୍ନକ୍ଷମ ଭତା ବଢ଼ାଇବାକୁ ଅନେକ ଦିନରୁ ଦାବି ହୋଇଆସୁଛି । ଭିନ୍ନକ୍ଷମଙ୍କ ମାସିକ ଭତା ବୃଦ୍ଧି କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଥିଲା । ଏ ସଂକ୍ରାନ୍ତରେ ପୁନର୍ବିଚାର କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଓଡିଶା ଆସୋସିଏସନ୍ ଫର୍ ବ୍ଲାଇଣ୍ଡ ଆସୋସିଏସନ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା । ଚାକିରିରେ ଭିନ୍ନକ୍ଷମଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ରଖିବା ଓ ଭିନ୍ନକ୍ଷମଙ୍କ ଭତା ବୃଦ୍ଧି କରିବା ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲେ ଆବେଦନକାରୀ ।

ପଡୋଶୀ ରାଜ୍ୟରେ ଅଧିକ ଟଙ୍କା ଭତା ଦିଆଯାଉଥିବାବେଳେ ଆମ ରାଜ୍ୟରେ କାହିଁକି ବୃଦ୍ଧି କରାଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଭିନ୍ନକ୍ଷମ ସଂଘ । ଏବେ ନଜର ପକାଇବା ଅନ୍ୟରାଜ୍ୟର ଭିନ୍ନକ୍ଷମ ଭତା ରାଶି ଉପରେ –

ଅଧିକ ଭିନ୍ନକ୍ଷମ ଭତା ଦେବାରେ ସବୁଠାରୁ ଆଗରେ ଅଛି ତେଲେଙ୍ଗାନା । ମାସକୁ ଦିଆଯାଉଛି ୪ ହଜାର ୧୬ ଟଙ୍କା । ଆନ୍ଧ୍ରରେ ୩ ହଜାର, ଗୋଆରେ ୨ ହଜାରରୁ ସାଢ଼େ ୩ ହଜାର ଓ ଦିଲ୍ଲୀରେ ଦିଆଯାଉଛି ଅଢ଼େଇ ହଜାର ଟଙ୍କା ।
ରାଜ୍ୟ ଭିନ୍ନକ୍ଷମ ଭତ୍ତା
ତେଲେଙ୍ଗାନା ୪୦୧୬ ଟଙ୍କା
ଆନ୍ଧ୍ରପ୍ରଦେଶ ୩୦୦୦ ଟଙ୍କା
ଗୋଆ ୨୦୦୦ରୁ ୩୫୦୦ ଟଙ୍କା
ଦିଲ୍ଲୀ ୨୫୦୦ ଚଙ୍କା

ଏପଟେ ମଧୁବାବୁ ପେନସନ ଯୋଜନାରେ ନୂଆ ୪ଲକ୍ଷ ହିତାଧିକାରୀ ସାମିଲ ହେବା ନେଇ ରାଜ୍ୟ ସରକାର ଘୋଷଣା କରିଥିବ ।ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । କେବଳ ସଂଖ୍ୟା ନୁହଁ ଭତା ରାଶି ବଢାଇବା ଆବଶ୍ୟକ ରହିଛି ବୋଲି କହିଛନ୍ତି ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।

ଭତା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନିଷ୍ପତିକୁ ଅପେକ୍ଷା କରିିଛନ୍ତି ଭିନ୍ନକ୍ଷମ । ୩ ମାସ ମଧ୍ୟରେ ରାଜ୍ୟସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ କହିଛନ୍ତି ହାଇକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe