କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆରେ ରହିଛି ମାଙ୍କଡିଆ ଟସର ଶିଳ୍ପ କେନ୍ଦ୍ର । ଏହି ଟସର ଶିଳ୍ପରେ ପ୍ରସ୍ତୁତ ଶାଢୀର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି । ଏହି ଶାଢୀ ପିନ୍ଧିବାକୁ ଯେତିକି ଆରାମଦାୟକ ପିନ୍ଧିବାକୁ ମଧ୍ୟ ସେତିକି ସୁନ୍ଦର । ଶାଢୀ ପ୍ରସ୍ତୁତ କରିବାକୁ କୌଣସି ମେସିନ ବ୍ୟବହାର କରାଯାଏ ନାହିଁ । ବୁଣାକାରମାନେ ନିଜ ହାତରେ ଏହାକୁ ତିଆରି କରନ୍ତି । ଶାଢୀ ପ୍ରସ୍ତୁତ ପାଇଁ ଟସର କୋସା ବ୍ୟବହାର କରାଯାଇଥାଏ । ପ୍ରଥମେ ଟସର କୋସାକୁ ଗରମ ପାଣିରେ ସିଝାଇ ସେଥିରୁ ସୁତା ବାହାର କରାଯାଏ । ସେହି ସୁତାକୁ ଅରଟ ମାଧ୍ୟମରେ ଗୁଡାଇ ଡିଜାଇନ ଅନୁଯାଇ ରଙ୍ଗ ଦେଇ ହାତରେ ପ୍ରସ୍ତୁତ କରାଯାଇଥିବା ତନ୍ତରେ ସୁତାକୁ ଶାଢୀର ଡିଜାଇନ ଅନୁଯାଇ ସାଜାଇ ରଖାଇଥାଏ । ଆଉ ତନ୍ତ ମାଧ୍ୟମରେ ଶାଢୀ ବୁଣା ଯାଇଥାଏ । ରାଇବଣିଆ ଅଞ୍ଚଳ ମାଙ୍କଡିଆ ଗାଁର ୫ ଶହ ବୁଣାକାର ପରିବାର ଏହି ଶାଢୀ ପ୍ରସ୍ତୁତ କରିଥାନ୍ତି । ଏହି ବୃତି ସେମାନଙ୍କର କୂଳ ବେଉସା ହୋଇଥିବା ବେଳେ ଏଥିରେ ସେମାନଙ୍କର ପରିବାର ପ୍ରତିପୋଷଣ ହୋଇଥାଏ ।

Advertisment

ଏହି ଶାଢୀ ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ଭାବେ ଟସର ଚାଷ କରାଯାଇଥାଏ । ଏହି ଚାଷ ମୟୂରଭଞ୍ଜର ବାରିପଦା ,କେଉଁଝର, ସୁନ୍ଦରଗଡ ଭଳି ଜଙ୍ଗଲିଆ ଅଞ୍ଚଳରେ କରାଯାଏ । ଟସରର ସରକାରୀ ମୂଲ୍ୟ କେଜି ପ୍ରତି ୪ ହଜାର ଟଙ୍କା ରହିଥିବା ବେଳେ କଳାବଜାରୀ କରି ଏହାକୁ ୭ ରୁ ୮ ହଜାର ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଏକ କେଜି ଟସରରୁ ପ୍ରାୟ ୩ ରୁ ୪ ଖଣ୍ଡ ଶାଢୀ ପ୍ରସ୍ତୁତ ହୋଇଥାଏ । ତେବେ ଏହି ଟସରକୁ ସିଝାଇ ସେଥିରୁ ସୁତା ବାହାର କରି ଶାଢ଼ୀ ଡିଜାଇନ ଅନୁଯାଇ ରଙ୍ଗ ଦେଇ ସାଢି ପ୍ରସ୍ତୁତ କରିବାକୁ ପାଖାପାଖି ୭ ଦିନ ସମୟ ଲାଗିଥାଏ । ଗୋଟିଏ ଟସର ଶାଢୀର ବଜାର ମୁଲ୍ୟ ୪ ହଜାରରୁ ଆରମ୍ଭ କରି ୭ ରୁ ୧୦ ହଜାର ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । କଞ୍ଚାମାଲର ଦର ଅଧିକ ହୋଇଥିବାରୁ ଶାଢୀର ଦାମ ଟିକିଏ ଅଧିକ ହୋଇଥାଏ । ଗେଟିଏ ଶାଢୀ ପ୍ରସ୍ତୁତ କରି ବୁଣାକାର ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି । ଟସରରୁ ସୁତା ବାହାର କରିବା ପାଇଁ ଜଣେ କାରିଗର ଦୈନିକ ୧୦୦ ରୁ ୧୫୦ ଟଙ୍କା ରୋଜଗାର କରିଥାନ୍ତି ।

ବଜାରରେ କମ ମୂଲ୍ୟରେ ମେସିନ ବୁଣା ଶାଢୀ ମିଳୁଥିବାରୁ ଏହାର ଚାହିଦା ଆସ୍ତେ ଆସ୍ତେ କମିବାକୁ ବସିଲାଣି । ବୁଣାକାରଙ୍କୁ ଉଚିତ ମୂଲ୍ୟ ମିଳୁ ନଥିବାରୁ ଏହି କୂଳ ବେଉସା ଉପରୁ ମୁହଁ ଫେରାଉଛନ୍ତି ବୁଣାକାର । ତେବେ ସରକାର ଏହି ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଯୋଗଇବା ସହିତ ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି କରିଛନ୍ତି ବୁଣାକାର ।