କନକ ବ୍ୟୁରୋ: କଡେଇରେ ଟକମକ ହୋଇ ଫୁଟୁଥିବା ତେଲରେ ଛଣାହେଉଛି ସୁଆଦିଆ ଆଳୁଚପ୍, ପକୁଡି ଓ ବରା ଭଳି ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ । ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ମାଣ୍ଡିଆ ଓ ବାଜରରେ ପ୍ରସ୍ତୁତ ହେଉଛି ଜଳଖିଆ । ମାଣ୍ଡିଆ ଓ ବାଜରାରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ତିଆରି କରିି ଚର୍ଚ୍ଚାକୁ ଆସିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ. ବରିଡା ଗାଁର ଜୟ ଜଗନ୍ନାଥ ଉତ୍ପାଦିକା ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟା । ମାଣ୍ଡିଆ ଓ ବାଜରାରେ ହାଲୁଆ, ଗୁଲାବ ଜାମୁନ, କାକରା, ସେଓ, ଚାଓମିନ, ବଡ଼ି, ପାମ୍ପଡ ଭଳି ୩୦ରୁ ଅଧିକ ପ୍ରକାରର ଖାଦ୍ୟ ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି ଏସଏଚଜି ମହିଳା । ଏହି ସବୁ ସାମଗ୍ରୀ କୋଦଳା ପୋଲସରା, ବ୍ରହ୍ମପୁର ଓ ଭୁବନେଶ୍ୱରକୁ ମଧ୍ୟ ବିକ୍ରି ପାଇଁ ପଠାଯାଉଛି । ତେବେ ୬ ରୁ ୭ ମାସ ତଳେ ପ୍ରଥମେ ଜୟ ଜଗନ୍ନାଥ ସ୍ୱଂୟ ସହାୟକ ଗୋଷ୍ଠୀ ମାଣ୍ଡିଆରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ । ଧିରେ ଧିରେ ମାଣ୍ଡିଆ ଓ ବାଜରାରେ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ତିଆରି କରୁଛନ୍ତି ଏହି ମହିଳାମାନେ ।

Advertisment

ପୂର୍ବରୁ ଏହି ଖାଦ୍ୟର ଏତେଟା ଚାହିଦା ନଥିଲା । ତେବେ ସରକାରଙ୍କ ମିଲଟ ମିଶନ ଜରିଆରେ ସ୍ୱଂୟସହାୟକ ଗୋଷ୍ଠୀର ମହିଳାମାନେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ଏହାର ଚହିଦାକୁ ଦୁଇଗୁଣିତ କରିଛନ୍ତିି । ମହିଳାମାନେ ଘର କାମରୁ ସମୟ ବାହାର କରି ଏହି ସବୁ ସାମଗ୍ରୀ ପ୍ରସ୍ତୁତିରେ ଲାଗିପଡନ୍ତି । କିଏ କଡେଇରେ ଏହି ସବୁ ଖାଦ୍ୟ ପ୍ରସ୍ତୁତ କରନ୍ତି ତ ପୁଣି କିଏ ଏହାକୁ ପ୍ୟାକିଙ୍ଗ କରି ବିକ୍ରି ପାଇଁ ସଜାଇ ରଖନ୍ତି । ତେବେ ମହିଳାମାନଙ୍କୁ ଏହି କାମରେ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ମିରାବାଇ ଦେଓ । ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀକୁ ନେଇ ସେ ବଜାରରେ ପହଞ୍ଚାଇଥାନ୍ତି । ଯାହା ଫଳରେ ଏହି ଗୋଷ୍ଠୀର ସଦସ୍ୟାମାନେ ଆତ୍ମନିର୍ଭର ହେବା ସହ ନିଜର ପରିବାର ପ୍ରତିପୋଶଣରେ ସହାୟତା କରିପାରୁଛନ୍ତି ।

ଦିନେ ଲୋକମାନେ ଭାବୁଥିଲେ ମାଣ୍ଡିଆରେ କେବଳ ଜାଉ ତିଆରି ହୁଏ । କିନ୍ତୁ ମାଣ୍ଡିଆରୁ ଯେ ଅନେକ ପ୍ରକାରର ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇପାରେ ତାହା ଏହି ଏସଏଚଜି ମହିଳା ମାନେ କରି ଦେଖାଇଛନ୍ତି ।