ଭାଟି ଉଚ୍ଛେଦ ଓ ମଦ ଦୋକାନ ବନ୍ଦ ଦାବି । ସୁନ୍ଦରଗଡ ଡାଙ୍ଗରପାଲିରେ ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

36

କନକ ବ୍ୟୁରୋ: ଭାଟି ଉଚ୍ଛେଦ ଓ ମଦ ଦୋକାନ ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ୍ ମଙ୍ଗସପୁର ଗାଁର ଶତାଧିକ ମହିଳା ସୁନ୍ଦରଗଡ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ବାରମ୍ବାର ଅଭିଯୋଗ କରିଥିଲେ ବି ମଦ ଭାଟି ଉଚ୍ଛେଦ କରାଯାଉ ନଥିବାରୁ ଏସପି ଅଫିସ୍ ଘେରାଉ କରିବା ସହ ନିଜ ଦାବି ଜଣାଇଛନ୍ତି ମହିଳାମାନେ । ଅଭିଯୋଗ ଅନୁସାରେ ମଙ୍ଗସପୁର ପଞ୍ଚାୟତର ତିନୋଟି ଗାଁରେ ଗୋଟିଏ ସରକାରୀ ଦେଶୀ ମଦ ଭାଟି ରହିଥିବା ବେଳେ ୧୩ରୁ ଅଧିକ ବେଆଇନ ମଦ ଭାଟିରେ ମଦ ବିକ୍ରି ହେଉଛି । ଫଳରେ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମଦ ପଇ ଘରେ ଅଶାନ୍ତି କରୁଛନ୍ତି । ମଦ ଯୋଗୁଁ ଅନେକ ଘର ଛାରଖାର ହେଇଗଲାଣି । ପିଲା ମାନେ ଘରୁ ଟଙ୍କା ଚୋରି କରି ମଦ ପଇ ପିଇ ବୁଲୁଛନ୍ତି, ପାଠ ପଢୁନାହାନ୍ତି । ଘରର ବହୁ ସ୍ୱାମୀକୁ ଛାଡି ପଳାଉଛନ୍ତି । ଗାଁ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏ ସବୁ ପରି୍ସ୍ଥିତି ଯୋଗୁଁ ଗାଁର ମହିଳା ମାନେ ସଂଗଠିତ ହୋଇ ଆନ୍ଦୋଳନ କରିବାରୁ ଅନେକ ମହିଳାଙ୍କ ନାଁ ରେ ପୋଲିସ ନିକଟରେ ମିଥ୍ୟା ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି । ତୁରନ୍ତ ମଦ ଭାଟି ବନ୍ଦ, ବେଆଇନ ଚୋରା ମଦ ଦୋକାନ ଗୁଡିକୁ ବନ୍ଦ କରିବା ସହିତ ମହିଳାଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ମହିଳାମାନେ ।