କନକ ବ୍ୟୁରୋ : କଳା, ସଂସ୍କୃତି ଏବଂ ଐତିହ୍ୟର ଭୂମି ହେଉଛି କଳାହାଣ୍ଡି । ଏଠାକାର ପାହାଡ଼, ଗୁମ୍ଫାରେ ରହିଛି ଅନେକ କିମ୍ବଦନ୍ତି ଓ ରୋଚକପୂର୍ଣ୍ଣ ଲୋକକଥା । ଜୟପାଟଣା ବ୍ଲକ ବଡ଼ପୂଝାରିଗୁଡ଼ା ଗ୍ରାମପଂଚାୟତ ଅଧିନରେ ରହିଛି ଏହି କସନା ଡଙ୍ଗର ପାହାଡ଼ । ଘନ ଜଙ୍ଗଲ ଭିତରେ ସବିଗୁଡ଼ା ଗାଁ ଠାରୁ ପ୍ରାୟ ୩ କିଲୋମିଟର କଚା ରାସ୍ତା ରହିଛି । ୧ କିଲୋମିଟର ଘାଟି ରାସ୍ତା ପରେ ରହିଛି କସନା ପାହଡ଼ । ଏଠାରେ ଅଷ୍ଟଶମ୍ଭୁ, ଶ୍ୟାମକାଳି, ରାମଶିଳା, ପାତାଳେଶ୍ୱର ମହାଦେବ, ମା ପାର୍ବତୀ, ଚଉଷଠୀ ଯୋଗିନୀ, ଭୈରବ ଚଣ୍ଡୀ ଓ ଶ୍ରୀରାମ ପାଦୁକା ଭଳି ଅନେକ ଦେବାବେଦୀଙ୍କ ପୀଠ ରହିଛି । ସେହିପରି ଜଳକୁଣ୍ଡ ଓ ରହସ୍ୟମୟ ଗୁମ୍ଫା ଏହି ଅଂଚଳ ପାଇଁ ଧର୍ମୀୟ ଓ ପର୍ଯ୍ୟଟକ କ୍ଷେତ୍ରରେ ଲୋକଙ୍କୁ ଆକର୍ଶିତ କରୁଛି ।

Advertisment

ଅନେକ ବର୍ଷ ପୂର୍ବରୁ କିଛି ଭକ୍ତଙ୍କୁ ସ୍ୱପ୍ନାଦେଶ ହେବା ପରେ କେତେକ ଧର୍ମପରାୟଣ ବ୍ୟକ୍ତିଙ୍କ ଉଦ୍ୟମରେ ଏହି ପୀଠ ସବୁ ସ୍ଥାପନ ହୋଇ ପୂଜାର୍ଚ୍ଚନା କରାଯାଉଛି । ୧ ଲକ୍ଷ ଟଙ୍କା ସରକାରୀ ସହାୟତା ଏବଂ ସ୍ଥାନୀୟ ଲୋକଙ୍କ ଚେଷ୍ଟାରେ ଏବେ ପ୍ରାୟ ୭ଶହ ମିଟର ଘାଟି ରାସ୍ତାକୁ କାଟି ଗମନାଗମନ ପାଇଁ ଏକ ନୂତନ କଚା ରାସ୍ତା ନିର୍ମାଣ ହେଉଥବାରୁ ଲୋକେ ଯିବା ଆସିବା କରିପାରୁଛନ୍ତି । ଏବେ ପିକନିକ୍ ଋତୁ ହୋଇଥିବାରୁ ବେସ୍ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ଏହି କସନା ପାହାଡ଼ରେ । ହେଲେ ଖରା, ବର୍ଷା ଶୀତରେ ଖୋଲା ଜାଗାରେ ପୂଜା ପାଇ ଆସୁଥିବା ଦେବାଦେବୀଙ୍କ ରକ୍ଷଣାବେକ୍ଷଣ ଲାଗି କିଛି ବନ୍ଦୋବସ୍ତ ନଥିବାରୁ କାଠ ଓ ବାଉଁଶ ଛାମୁଣି କରି ରଖା ଯାଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶ୍ରାମ ଗୃହ, ପାନୀୟ ଜଳ, ସବୁ ଦିନିଆ ରାସ୍ତା ପାଇଁ ସରକାର ଟିକେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।