କନକ ବ୍ୟୁରୋ: ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଦର୍ଶନ ଦାବି । ବାରମ୍ବାର ଦାବି ସତ୍ତେ୍ୱ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ଏହା ବିରୋଧରେ ମୁଣ୍ଡ ଟେକିଲାନି ଆନ୍ଦୋଳନ । ଚାରି ଦ୍ୱାର ଖୋଲିବା ଦାବିରେ ପୁରୀ ସଚେତନ ମଞ୍ଚ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହେଉଛି । ୧ ଲକ୍ଷ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହେଉଛି । ୮ ଦିନ ଧରି ଏହି ଦସ୍ତଖତ ଅଭିଯାନ ଚାଲିବ । ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଦସ୍ତଖତ ଅଭିଯାନରେ ଭକ୍ତ, ସେବାୟତ, ବୁଦ୍ଧିଜୀବୀଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯିବ । ପରେ ଏହି ଲକ୍ଷ ଲକ୍ଷ ଦସ୍ତଖତ ଥାଇ ଦସ୍ତଖତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ।

Advertisment

ସଚେତନ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲା ପ୍ରଶାସନ ପ୍ରଥମେ କୋଭିଡ୍ ଓ ପରେ ଗହଳିର ଆଳ ଦେଖାଇ ଚାରି ଦ୍ୱାର ଦର୍ଶନ ବନ୍ଦ କରିଦେଇଥିଲା । ଏଥିପାଇଁ ପ୍ରତିଦିନ ଖରାରେ ଭକ୍ତ ଲମ୍ବାଧାଡିରେ ଦର୍ଶନ ପାଇଁ ଛିଡ଼ା ହେଉଛନ୍ତି । ମରିଚିକୋଟ ଆଗକୁ ବି ଭକ୍ତଙ୍କ ଧାଡି ଲମ୍ବୁଛି । ନାଟମଣ୍ଡପରେ ଭକ୍ତ ଠେଲାପେଲାରେ ଦର୍ଶନ କରୁଛନ୍ତି । ତେଣୁ ତୁରନ୍ତ ଚାରି ଦ୍ୱାର ଖୋଲିବାକୁ ଦାବି କରାଯାଇଛି । ଦାବି ପୂରଣ ନହେଲେ ଅନଶନ କରିବେ ବୋଲି ପୁରୀ ସଚେତନ ମଞ୍ଚ ପକ୍ଷରୁ କୁହାଯାଇଛି ।