କୋଇଲିବୈକୁଣ୍ଠରେ ପୋତା ଯିବ ବିପୁଳ ପରିମାଣର ଅମୁଣିଆ ମହାପ୍ରସାଦ । କ୍ଷତିପୂରଣ ଦାବିରେ ଅଡିବସିଛନ୍ତି ସୁଆର ଓ ମହାସୁଆର ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ କହିଲା, ଠାକୁରଙ୍କୁ ଦଣ୍ଡ ଦିଆ ନଯାଉ

56

କନକ ବ୍ୟୁରୋ: ଶ୍ରୀମନ୍ଦିର ରୋଷଘରୁ ଆଜି ଅମୁଣିଆ ମହାପ୍ରସାଦକୁ ବାହାର କରି ପୋତାଯିବ । କୋଇଲିବୈକୁଣ୍ଠ ପଛପଟେ ଥିବା ଉପବନରେ ଏହାକୁ ପୋତାଯିବ ବୋଲି ସୂଚନା ମିଳିଛି । ଧୋ-ପଖାଳ ସେବାୟତମାନେ ଏହି କାର୍ଯ୍ୟ ସଂପାଦନ କରିବେ । ଗତକାଲି ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ ନେଇ କୋର୍ଟଙ୍କ କଟକଣା ଫଳରେ ବାହାରି ପାରିନଥିଲା ମହାପ୍ରଭୁଙ୍କ ମହାପ୍ରସାଦ । କୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପ୍ରଶାସନ କେବଳ ଅଧିକୃତ ସେବାୟତଙ୍କ ଛଡା ଅନ୍ୟ କାହାରିକୁ ଗର୍ଭଗୃହକୁ ନଛାଡିବାରୁ ସୃଷ୍ଟି ହୋଇଥିଲା ବିଭ୍ରାଟ । କେବଳ ପାଳିଆ ସେବକଙ୍କ ଛଡା ଅନ୍ୟକେହି ଶ୍ରୀମନ୍ଦିର ଗର୍ଭଗୃହକୁ ଯାଇପାରିବେନି । ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଫଳରେ ବର୍ଷବର୍ଷ ଧରି ସେବାୟତଙ୍କ ସହ ଯାଉଥିବା ସେମାନଙ୍କ ପରିବାର ସଦସ୍ୟ ଗର୍ଭଗୃହକୁ ପ୍ରବେଶ କରିପାରିନଥିଲେ । ସେଥିପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା ।

ନୀତି ବିଭ୍ରାଟ ଫଳରେ ରୋଷଘରୁ ଅବଢା ବାହାରି ପାରିନଥିବାବେଳେ ଲକ୍ଷଲକ୍ଷ ଭକ୍ତଙ୍କ ପାଇଁ ପ୍ରସ୍ତୁତ ବରାଦି ଅବଢା ସେମିତି ରୋଷଘରେ ରହିଥିଲା । ମଙ୍ଗଳ ଆଳତିଠାରୁ ନୀତିକୁ ନେଇ ମହାବିଭ୍ରାଟ ପରେ ଭୋଗମଣ୍ଡପକୁ ଭୋଗ ଯାଇପାରି ନଥିଲା । ରୋଷଘରୁ ଅବଢା ବାହାରି ନପାରିବାରୁ ସୁଆର-ମହାସୁଆର ନିଯୋଗର ସେବାୟତମାନେ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣାରେ ବସିରହିଥିଲେ । ତେବେ ନୀତିରେ ବିଭ୍ରାଟକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏପରିକି ଠାକୁରଙ୍କୁ ଦଣ୍ଡ ଦିଆନଯାଉ ବୋଲି ସେ ଅନୁରୋଧ କରିଛନ୍ତି ।

ସେବାୟତମାନେ ନୀତିକାନ୍ତି ବନ୍ଦ କରି ଅନ୍ୟାୟ କରିଛନ୍ତି ଓ ସେମାନେ ନିଜ ଜିଦରେ ଅଟଳ ରହିବା ଠିକହୋଇ ନାହିଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା । ଶ୍ରୀମନ୍ଦିର ପ୍ରଶାସନ କେବଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରୁଛି । ତେଣୁ ସେବାୟତଙ୍କର ଯଦି କିଛି ଆପତି ଅଭିଯୋଗ ଥାଏ ତେବେ ସେମାନେ କୋର୍ଟରେ ପକ୍ଷ ରଖିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।