ପଶ୍ଚିମ ଓଡ଼ିଶାରେ ଜୋର ଧରିଲା ମରୁଡି ଘୋଷଣା ଦାବି । ହକ୍ ପାଇଁ ହାତରେ ହଳ ଲଙ୍ଗଳ ଧରି ରାସ୍ତାକୁ ଓହ୍ଲାଇଲେ ଚାଷୀ ।

185

କନକ ବ୍ୟୁରୋ: ମୌସୁମୀରେ ପ୍ରବଳ ବର୍ଷା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଥିଲା କିନ୍ତୁ ଚାଷ ପାଇଁ ଯେଉଁ ବର୍ଷା ଆବଶ୍ୟକ ଥିଲା ସେଭଳି ହୋଇନଥିଲା । ଆଉ ଧିରେ ଧିରେ ଏହାର ଏବେ ପ୍ରଭାବ ଦେଖିବାକୁ ମିଳୁଛି ।  ଫସଲ ଅମଳ ହେବା ଆଗରୁ ବିଭିନ୍ନ ସ୍ଥାନରୁ ଆସିଛି ମରୁଡିର ଚିତ୍ର । ସମ୍ବଲପୁର ଓ ବରଗଡ ଜିଲ୍ଲାରେ ବର୍ଷା ଅଭାବରୁ ଧାନ କେଣ୍ଡା ଶୁଖି ଯାଇଛି ତେଣୁ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

ଆଗକୁ ଫସଲ ଅମଳ ହେବା ସମୟ କିନ୍ତୁ ବିଭିନ୍ନ ସ୍ଥାନରେ ମରୁଡିର ଚିତ୍ର । ତେଣୁ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ବର୍ଷା ଅଭାବରୁ କେଉଁଠି ମାଟି ଫାଟି ଆଁ ହୋଇଛି । ତ ଆଉ କେଉଁଠି ଧାନ କେଣ୍ଡା ଶୁଖି ଯାଇଛି । ମରୁଡି ଘୋଷଣା ଦାବି କରି ଆଜି ସୋହେଲାର ଚାଷୀ ଆନ୍ଦୋଳନ କରିଛନ୍ତି । ମୁଣ୍ଡରେ ଠେକା, କାନ୍ଧରେ ଲଙ୍ଗଳ ଧରି ରାସ୍ତାରେ ଚାଷୀ । କୌଣସି ଜମିକୁ ହଳ କରିବାକୁ ନୁହେଁ ବରଂ ଦାବି ପୂରଣ ପାଇଁ ଶତାଧିକ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବରଗଡର ସୋହେଲା ଥାନା ଛକରୁ ସମସ୍ତ ଚାଷୀ ଆଜି ସ୍ଥାନୀୟ ତହସିଲ ଅଫିସ ଘେରାଉ କରିଛନ୍ତି । ମରୁଡି ଘୋଷଣା କରିବାକୁ ଏବଂ ଚାଷୀଙ୍କୁ ପେନସନ ଦାବି କରି ସରକାରଙ୍କ ନିକଟରେ ୮ ଦଫା ଦାବି କରିଛନ୍ତି । କମ୍ ବର୍ଷା ହୋଇଥିବାରୁ ମରୁଡି ସ୍ଥିତି ଉପୁଜିଛି । ଯଦି ସରକାର ଦାବି ନଶୁଣିବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚାଷୀ ନେତା କହିଛନ୍ତି ।

ସେହିପରି ସମ୍ବଲପୁରରେ ମଧ୍ୟ ମରୁଡିର ପଦଧ୍ୱନୀ । ଯେଉଁ ସମୟରେ ଧାନ ଗଛର କେଣ୍ଡା ଦେଖାଯିବା କଥା ସେଠି ମଉଳି ଯାଇଛି । ମୌସୁମୀ ବେଳେ ଜିଲ୍ଲାରେ ବର୍ଷା ଆବଶ୍ୟକ ପରିମାଣରେ ହୋଇନଥିବାରୁ ଜମି ଫାଟି ଆଁ କରିଛି । ଯାହା ଚକଡାକୁ ସୁହାଇବା ସହ ଅଜଣା ରୋଗକୁ ଡାକିବା ଏକ ପ୍ରକାର ଥୟ । ଏବେ ଯଦି ଜମିକୁ ପାଣି ନମିଳେ ତେବେ ସ୍ଥିତି ସାଂଘାତିକ ହେବା ସହ ଆଗକୁ ଅମଳ ପ୍ରଭାବିତ ହେବ ବୋଲି ଚାଷୀ  କହିଛନ୍ତି । ତେବେ କେତେବେଳେ ଅଦିନିଆ ବର୍ଷା ଓ ରୋଗପୋକ ତ ଆଉ କେତେବେଳେ ମରୁଡି ଚାଷୀଙ୍କ ଝାଳବୁହା ପରିଶ୍ରମ ଉପରେ ଦାଉ ସାଧୁଛି । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ…