ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବହିଷ୍କାର ଦାବି : ବୈପାରିଗୁଡ଼ା ବ୍ଲକ ଆଗରେ ଧାରଣାରେ ବସିଛନ୍ତି ୬୦ଟି ଗାଁର ଶତାଧିକ ଲୋକେ

ବିକାଶ କାମ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ; ପଦରୁ ନହଟାଇବା ପର୍ଯ୍ୟନ୍ତ ଧାରଣା ଚେତାବନୀ

59

କନକ ବ୍ୟୁରୋ : ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବହିଷ୍କାର ଦାବିରେ ଗ୍ରାମବାସୀଙ୍କ ଧାରଣା । ଜୟପୁର ବୈପାରୀଗୁଡା ବ୍ଲକ ଆଗରେ ଶତାଧିକ ଗ୍ରାମବାସୀ ଗତକାଲିଠାରୁ ଧାରଣା ଦେଇଛନ୍ତି । ୨ଟି ପଂଚାୟତର ୬୦ଟି ଗାଁର ଶତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି । ଚିକାପୁର ଓ ଦଣ୍ଡାବାଡି ପଂଚାୟତରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ ମହାପାତ୍ର ଗାଁର ବିକାଶ ପାଇଁ ଯାହା ବି କାମ ଆସୁଥିଲା, ସବୁଥିରେ ୨୦ ପ୍ରତିଶତ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି ।

ନଦେଲେ ସେମିତି ଫାଇଲ ପକାଇ ରଖୁଛନ୍ତି । ଏନେଇ ଗାଁଲୋକେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ବାଧ୍ୟ ହୋଇ ଶତାଧିକ ଗ୍ରାମବାସୀ ବୈପାରୀଗୁଡ଼ା ବ୍ଲକ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ଲାଞ୍ଚୁଆ ଜେଇଙ୍କୁ ପଦରୁ ହଟାଯାଇନାହିଁ କିମ୍ବା ବଦଳି କରାଯାଇନାହିଁ, ସେପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।