ଡରାଉଛି ‘ଡେଲଟା ପ୍ଲସ୍’ କରୋନା ଭୂତାଣୁ । କଣ୍ଟେନମେଣ୍ଟ ଜୋନ୍ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ଏପଟେ ରାଜ୍ୟରେ ପ୍ରଥମ ‘ଡେଲଟା ପ୍ଲସ୍’ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗଲା ଟିମ୍ ।

255

କନକ ବ୍ୟୁରୋ : ତୃତୀୟ ଲହର ଆଶଙ୍କା ଭିତରେ କରୋନା ଭୂତାଣୁର ନୂଆ ପ୍ରଜାତି ଡେଲଟା ପ୍ଲସ ଭେରିଆଂଟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କରୋନା ଭୂତାଣୁର ଏହି ନୂଆ ପ୍ରଜାତି ତୃତୀୟ ଲହରର କାରଣ ହେବ ନାହିଁ ତ ? ଏମିତି ପ୍ରଶ୍ନ ବି ମନରେ ଉଙ୍କି ମାରୁଛି । କାରଣ, ଦ୍ୱିତୀୟ ଲହରରେ ସାରାଦେଶରେ ହାହାକାର ସୃଷ୍ଟି କରି୍ଥିବା ଡେଲ୍ଟା ଭେରିଆଂଟର ମ୍ୟୁଟେସନ ପରେ ଡେଲ୍ଟା ପ୍ଲସ ଭେରିଆଂଟ ସୃଷ୍ଟି ହୋଇଛି । ତେବେ ଏହି ଭେରିଆଂଟ କେତେ ମାରାତ୍ମକ, କେତେ ସଂକ୍ରାମକ ଏବଂ କେତେ କ୍ଷତିକାରକ ହେବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏପଟେ ଦେବଗଡରେ ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି । ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ ପାଇଁ ଏକ ଟିମ୍ ଦେବଗଡ଼କୁ ଯାଇଛନ୍ତି ।

ଡରାଉଛି ‘ଡେଲଟା ପ୍ଲସ୍’ କରୋନା ଭୂତାଣୁ । କଂଟେନମେଂଟ ଜୋନ୍ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ଡେଲଟା ଭେରିଆଂଟ ଭୂତାଣୁ ଯୋଗୁଁ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଇଥିବା ବେଳେ ଏବେ ଡେଲଟା ପ୍ଲସ୍ ଭେରିଆଂଟ ନୂଆ ଡର ସୃଷ୍ଟି କରିଛି । ଦେଶର ୧୦ଟି ରାଜ୍ୟରେ ପ୍ରାୟ ୫୧ ମାମଲା ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାର ଦେବଗଡ଼ରେ ଡେଲଟା ପ୍ଲସ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ ପାଇଁ ଦେବଗଡ଼କୁ ଏକ ଟିମ୍ ଯାଇଛନ୍ତି । କାହା ଠାରୁ ସଂକ୍ରମଣ ଆସିଛି ଏବଂ ସେ କାହା କାହା ସହ ମିଶିଛନ୍ତି, ସବୁ ତଥ୍ୟ ଜାଣିବା ପାଇଁ ଉଦ୍ୟମ କରୁଛି ସ୍ୱାସ୍ଥ୍ୟ ବିଭାଗ ।

ଦେବଗଡ଼ରେ ଯେଉଁ ବ୍ୟକ୍ତି ଡେଲଟା ପ୍ଲସ ଭେରିଆଂଟରେ ସଂକ୍ରମିତ ହୋଇଛନ୍ତି, ମେ’ ମାସରେ ତାଙ୍କର ଜେନମ୍ ସିକ୍ୟୁଏନସିଂ ପାଇଁ ପଠାଯାଇଥିଲା । ଓଡ଼ିଶାରୁ ୧୧୦୦ ନମୁନା ଜେନମ୍ ସିକ୍ୟୁଏନସିଂ କରାଯାଇଥିବା ବେଳେ ମାତ୍ର ଜଣେ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମଗ୍ର ଦେଶରୁ ପ୍ରାୟ ୪୬,୦୦୦ ନମୁନାର ଜେନମ୍ ସିକ୍ୟୁଏନସିଂ କରାଯାଇଛି । ସେଥିରୁ ମାତ୍ର ୦.୦୧ ପ୍ରତିଶତ ଡେଲଟା ପ୍ଲସ୍ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଅର୍ଥାତ୍ ୧ ହଜାର ନମୁନାରୁ ଗୋଟିଏ ଡେଲଟା ପ୍ଲସ୍ ଭେରିଆଂଟ ଚିହ୍ନଟ ହୋଇଛି ।

ଦେଶରେ ଯେତିକି ଜେନମ୍ ସିକ୍ୟୁଏନ୍ସିଂ କରାଯାଇଛି, ସେଥିରେ ଖୁବ କମ୍ ନମୁନାରେ ଡେଲଟା ପ୍ଲସ୍ କରୋନା ଭୂତାଣୁ ମିଳିଥିବାରୁ ଏହା ଅଧିକ ସଂକ୍ରାମକ ହେବନାହିଁ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ବଡ଼ କଥା ହେଉଛି, ଏହାକୁ ଭେରିଆଂଟ ଅଫ୍ କନସର୍ନ କାଟାଗୋରିରେ ରଖିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଡେଲଟା ପ୍ଲସ ଭେରିଆଂଟର ପ୍ରଭାବ ନେଇ ଅନୁଧ୍ୟାନ ଚାଲିଛି । ତେବେ ଏହା ଟିକା ଯୋଗୁଁ ସୃଷ୍ଟି ହୋଇଥିବା ଆଂଟିବଡିକୁ ନଷ୍ଟ କରିପାରେ ବୋଲି କୁହାଯାଉଛି । ୧୨ଟି ଦେଶରେ ଡେଲଟା ପ୍ଲସ ଭେରିଆଂଟ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି । ଏପଟେ ଭାରତରେ ମଧ୍ୟ ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଯେଉଁ ସ୍ଥାନରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠାରେ ତୁରନ୍ତ କଂଟେନମେଂଟ ଜୋନ୍ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟରେ ପୁଣିଥରେ କଟକଣା କଡ଼ା କରିବାକୁ ପଦକ୍ଷେପ ନିଆଯାଇଛି । ପୁନେ ଓ ନାଗପୁର ସହରରେ ଦୋକାନ ବଜାର ଅପରାହ୍ନ ୪ଟା ସୁଦ୍ଧା ବନ୍ଦ କରିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶନିବାର, ରବିବାର ସଟଡାଉନ୍ ଏବଂ ମଲ୍, ସିନେମା ହଲ, ଥିଏଟର, ଧାର୍ମିକ ସ୍ଥଳ ଆଦି ବନ୍ଦ ରହିବ ।