ତ୍ରିପୁରାରେ ବଢୁଛି ଡେଲ୍ଟା ପ୍ଲସର ମାମଲା । ୯୦ ପ୍ରତିଶତ ଆକ୍ରାନ୍ତଙ୍କ ନମୁନାରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ।

127

କନକ ବ୍ୟୁରୋ: ପୂର୍ବାଞ୍ଚଳରେ ତିନୋଟି ରାଜ୍ୟ ଆସାମ, ମଣିପୁର ଏବଂ ମିଜୋରାମରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବାପରେ ତ୍ରିପୁରାରେ ମଧ୍ୟ ଡେଲ୍ଟା ପ୍ଲସକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ତ୍ରିପୁରା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡ୍ରିପୁରାରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ୯୦ ପ୍ରତିଶତ ଆକ୍ରାନ୍ତଙ୍କ ଠାରେ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛି ।

ଡେଲ୍ଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଏବେ ଚିନ୍ତାରେ ତ୍ରିପୁରା ସରକାର । ରାଜ୍ୟରେ ୯୦ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଠାରେ ଚିହ୍ନଟ ହୋଇଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ । ଅଗରତାଲା ସରକାରୀ ମେଡିକାଲ କଲେଜର ପ୍ରମୁଖ ତପନ ମଜୁମଦାର ଶନିବାର ଏହି ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା କିଛି ନମୂନାକୁ ଜିନୋମ ସିକ୍ୱେନ୍ସିଂ କରିବା ପରେ ଏଥିରେ ଡେଲ୍ଟା ପ୍ଲସ୍ର ଅଧିକାଂଶ କେସ୍ ଥିବା ଜଣା ପଡିଛି । ୧୪୮ଟି ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବାବେଳେ, ଏଥିରୁ ୧୩୮ ଟି ନମୂନାରେ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛି । ଅନ୍ୟ ୧୦ଟି ନମୂନାରେ ଡେଲ୍ଟା ଭାରିଆଣ୍ଟ ଥିବା ଯାଞ୍ଚ ପରେ ଜଣା ପଡିଛି ।

ତ୍ରିପୁରାର ସମସ୍ତ ୮ଟି ଜିଲ୍ଲାରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି । ଡାକ୍ତର ମଜୁମଦାର ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଦୀପ କୁମାର ଦେବବର୍ମା ସାମ୍ବାଦିକ ସମ୍ମିଳନୀ କରି ଡେଲ୍ଟା ପ୍ଲସ ଭାରିଆଣ୍ଟର ଭୟବହତା ବିଷୟରେ ସୂଚନା ଦେଇଛନ୍ତି । ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଅଧିକ ସଂକ୍ରାମକ ଏବଂ ଏହା କରୋନା ନିରୋଧି ଟୀକାର ପ୍ରଭାବକୁ ବି କମ୍ କରିବାର କ୍ଷମତା ରଖିଛି । ଏଥିପାଇଁ ତ୍ରିପୁରା ସରକାର ତରଫରୁ ଡେଲ୍ଟା ପ୍ଲସ ଭାରିଆଣ୍ଟକୁ ନେଇ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି ।