ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଦେଲେ ସୂଚନା । କେତେ ସଂକ୍ରାମକ ଏହି ଭାରିଆଣ୍ଟ ଚାଲିଛି ଅନୁଧ୍ୟାନ ।

372

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁର ଡେଲଟା ଭାରିଆଣ୍ଟ ରୂପ ବଦଳାଇ ଡେଲଟା ପ୍ଲସ ଭାରିଆଣ୍ଟ ହୋଇ ନୂଆ ରୂପରେ ଆସିଛି । ଓଡିଶାର ଦେବଗଡରେ ଜଣେ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ତେବେ ସେ କେଉଁଠୁ ଆସିଥିଲେ ଏବଂ ସେ ଭାଇରସ ଓଡିଶା କେମିତି ପହଞ୍ଚିଲା ସେ ବିଷୟରେ ସଂପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।

ଗତ ଏପ୍ରିଲରେ ପ୍ରଥମ ଥର ପାଇଁ ଭାରତର ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ଡେଲଟା ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ ହୋଇପାରେ । ନ୍ୟାସନାଲ ସେଣ୍ଟର ଫର ଡିଜିଜ କଂଟ୍ରୋଲର ନିର୍ଦ୍ଦେଶକ କହିଛନ୍ତି, ଏବେ ଯାଏଁ ୪୮ଟି ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୨୦ ଜଣ, ତାମିଲନାଡୁରେ ୯ ଜଣ, ମଧ୍ୟପ୍ରଦେଶରେ ୭ ଜଣ, କେରଳରେ ୩ ଜଣ, ଓଡିଶାରେ ଜଣେ,  ଏହିପରି ୧୧ଟି ରାଜ୍ୟରୁ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଭାରିଆଣ୍ଟ ବ୍ରିଟେନ, କାନାଡା, ଭାରତ, ଜାପାନ, ରୁଷିଆ, ଆମେରିକା ଭଳି ୧୧ଟି ଦେଶରେ ଚିହ୍ନଟ ହୋଇଛି । ତେବେ ଏହା କେତେ ମାରାତ୍ମକ, କେତେ ସଂକ୍ରାମକ ଏବଂ କେତେ କ୍ଷତିକାରକ ହେବ ତାକୁ ନେଇ ଅନୁଧ୍ୟାନ ଚାଲିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି- ଡେଲଟା ପ୍ଲସ ଭାରିଆଂଟକୁ ଅନୁଧ୍ୟାନ କରାଯାଉଛି, ଲାଗୁଛି ଏହା ଏକ ସାଧାରଣ ଭାରିଆଂଟ ନୁହେଁ । ସେହିପରି ଭାରତୀୟ ଚିକିତ୍ସା ବିଜ୍ଞାନ ଓ ଗବେଷଣା କେନ୍ଦ୍ର- ଆଇସିଏମଆର କହିଛି, ଏହି ଭାରିଆଂଟକୁ ନେଇ ଅଧିକ ଗବେଷଣା କରୁଛୁ, ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ ଏହା କେମିତି ସଂକ୍ରମିତ କରୁଛି, ତାହାର ଅନୁଧ୍ୟାନ କରୁଛୁ । ଭାରତର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି- ଡେଲଟା ଭାରିଆଂଟର ଏହି ପରିବର୍ତ୍ତିତ ରୂପ ‘ଭାରିଆଂଟ ଅପ କନସର୍ନ’ ଅର୍ଥାତ ଏହା ଚିନ୍ତାଜନକ ହୋଇପାରେ । ତେବେ ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ ଭୂତାଣୁର ଏହି ନୂଆ ରୂପ ସଂକ୍ରମିତ କରିପାରିବ କି ନାହିଁ ସେ ନେଇ ଅନୁଧ୍ୟାନ ଚାଲିଛି । ବର୍ତମାନ ଯାଏଁ ଏହାର ସଠିକ ଉତ୍ତର ଆସିନାହିଁ । ଚିକିତ୍ସା ବିଜ୍ଞାନୀମାନେ କହୁଛନ୍ତି, ଏହା ଉପରେ ବିସ୍ତୃତ ଅଧ୍ୟୟନ ଦରକାର । ଭ୍ୟାକ୍ସିନ ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଏହା ଯଦି ଭାଙ୍ଗି ଦିଏ ତେବେ ନିଶ୍ଚୟ ଏହା ଏକ ବଡ ଚିନ୍ତାର କାରଣ ହୋଇଯିବ ।

ଯଦି ଡେଲଟା ପ୍ଲସ ଭାରିଆଂଟ ଅଧିକ ସଂକ୍ରାମକ ହୁଏ, ତେବେ ଏହି ଲହର ତୃତୀୟ ଲହର ଆଣିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । କିନ୍ତୁ ପ୍ରକୃତରେ ଏହା କେତେ କ୍ଷତିକାରକ ଓ ସଂକ୍ରାମକ ହେବ ତାହା ସଂପୂର୍ଣ୍ଣ ରୂପେ ଜଣାପଡି ନାହିଁ ।