କର୍ଣ୍ଣାଟକରେ ଡେଲିଭରି ବୟକୁ ଆଇଫୋନ୍ ପାଇଁ ହତ୍ୟା। ପେଟ୍ରୋଲ ଢାଳି ପୋଡିଦେଲେ ହତ୍ୟାକାରୀ।

281

କନକ ବ୍ୟୁରୋ: ଆଇ ଫୋନ୍ ପାଇଁ ହତ୍ୟା । କର୍ଣ୍ଣାଟକରେ ଜଣେ ଡେଲିଭରି ବୟକୁ ଆଇଫୋନ୍ ପାଇଁ ହତ୍ୟା କରାଯାଇଛି । ଛୁରୀରେ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡିଦେଇଛି ହତ୍ୟାକାରୀ । ତେବେ ବାଟରେ ଶବ ନେବା ବେଳେ ସିସିଟିଭିରେ ଏହାର ଦୃଶ୍ୟ କଏଦ ହୋଇଛି । ମୃତ ଡେଲିଭରି ବୟ ହେଉଛନ୍ତି ହେମନ୍ତ ନାୟକ ।

ସୂଚନା ମୁତାବକ କର୍ଣ୍ଣାଟକ ଆରସିକେରେ ସହରରେ ରହୁଥିବା ହେମନ୍ତ ଦତା ନାମକ ଜଣେ ୨୦ ବର୍ଷୀୟ ଯୁବକ ଅନଲାଇନରେ ଏକ ସେକେଣ୍ଡ ହ୍ୟାଣ୍ଡ ଆଇଫୋନ୍ ମଗାଇଥିଲେ । ହେଲେ ଫୋନ୍ ପାଇଁ ଆବଶ୍ୟକୀୟ ଅର୍ଥ ନ ଥିବାରୁ ହତ୍ୟା ନେଇ ଯୋଜନା କରିଥିଲେ । ଡେଲିଭରି ବୟ ଯେତେବେଳେ ଫୋନ୍ ନେଇ ଠିକଣା ସ୍ଥାନରେ ପହଞ୍ଚିଥିଲେ, ସେତେବେଳେ ଟଙ୍କା ଦେବା ପାଇଁ ତାଙ୍କୁ ଘର ମଧ୍ୟକୁ ଡାକିଥିଲା ହତ୍ୟାକାରୀ । ଏହାପରେ ଛୁରୀ ଭୁସି ହତ୍ୟା କରିଥିଲା । ହତ୍ୟା ପରେ ଶବକୁ ଘରେ ୩ ଦିନ ଯାଏ ଲୁଚାଇ ରଖିଥିଲା । ଏହାପରେ ଅଖାରେ ବାନ୍ଧି ବାଇକ୍ ନେଇ ପାଖ ରେଳ ଷ୍ଟେସନର ଏକ ନିଛାଟିଆ ସ୍ଥାନରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ସେପଟେ ଡେଲିଭରି ବୟ ହେମନ୍ତ ନାୟକ ନିଖୋଜ ହେବା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ଛାନଭିନ୍ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ହେମନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।