ସବୁ ଡେଲିଭରି ବୟଙ୍କୁ ସଲାମ୍ ! ନା ଖରାକୁ ଖାତିର, ନା ବର୍ଷାର ଭୟ…ସଙ୍କଟର ବେଳର ସାଥୀ ସାଜି ଆମ ପାଖରେ ଖାଦ୍ୟ ଓ ସାମଗ୍ରୀ ପହଞ୍ଚାଇଦେଉଛନ୍ତି ।

234

କନକ ବ୍ୟୁରୋ : ଡହ ଡହ ଖରା ତାଙ୍କୁ ଛୁଇଁପାରେନି । ଆଉ ବାଦଲଫଟା ବର୍ଷା ବି ତାଙ୍କୁ ଭିଜେଇପାରେନି । ଦିନରାତିକୁ ଖାତିର ନକରି ଆମମାନଙ୍କ ପାଇଁ କାମ କରୁଥାନ୍ତି ଏମାନେ । ଇଏ ହେଉଛି ଜଣେ ଡେଲିଭରି ବୟର ଜୀବନ । ଆପଣମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଂଚାଇଲେ ହିଁ ତାଙ୍କ ଘରେ ଚୂଲି ଜଳିବ ।

ଏହି ଫଟୋଟି ଯେତିକି ହୃଦୟ ବିଦାରକ ସେତିକି ପ୍ରେରଣାଦାୟୀ ମଧ୍ୟ । ପ୍ରବଳ ବର୍ଷାରେ ପାଣି ସିନା ରାସ୍ତାକୁ ବନ୍ଦ କରିଦେଇଛି, ହେଲେ ଏହି ଡେଲିଭରି ବୟଙ୍କ ମନୋବଳକୁ ଓଦା କରିପାରିନି । ଏହି ଡେଲିଭରି ବୟଙ୍କ ନାଁ ହେଉଛି ଶୋଭନ ଘୋଷ ।

ଏଦୃଶ୍ୟ ହେଉଛି କୋଲକାତାର । କିଛିଦିନ ଧରି କୋଲକାତାରେ ପ୍ରବଳ ବର୍ଷା ହୋଇଥିଲା । ଏବଂ ଚାରିଆଡେ ପାଣି ଲହଡି ଭାଙ୍ଗୁଥିଲା । ଆଉ ଏପରେ କରୋନା କଟକଣା ପାଇଁ ଲୋକେ ମଧ୍ୟ ବାହାରକୁ ବାହାରୁନାହାନ୍ତି । ଆଉ ଏଭଳି ସଙ୍କଟ ସମୟରେ ବିପଦ ବେଳର ବନ୍ଧୁ ସାଜି ଲୋକଙ୍କ ପାଖରେ ଖାଦ୍ୟ ପହଂଚାଉଛନ୍ତି ଦେଶର ସମସ୍ତ ଡେଲିଭରି ବୟ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋଟିକୁ ଡୋମିନସ୍ ଇଣ୍ଡିଆ ନିଜ ଟ୍ୱିଟର ପେଜରେ ସେୟାର କରିଛି । ଯେଉଁଥିରେ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏହି ଡେଲିଭରି ବୟ ଶୋଭନ ଘୋଷ ଖାଦ୍ୟ ପାର୍ସଲ ସହ ପାଣି ଭିତରେ ଛିଡା ହୋଇଛନ୍ତି । ଡୋମିନସ୍ ଇଣ୍ଡିଆ ଲେଖିଛି, ଜଣେ ସୈନିକ କେବେ ବି ନିଜ କର୍ତବ୍ୟରୁ ଦୂରେଇ ଯାଏ ନାହିଁ । ଆମର ସୈନିକ ଏଠି ନୀଳ ରଙ୍ଗରେ ଆସନ୍ତି, ଏବଂ ଆପଣମାନଙ୍କ ପାଖରେ ଗରମ, ତାଜା ଏବଂ ସୁରକ୍ଷିତ ଭୋଜନ ପ୍ରଦାନ କରନ୍ତି । ତେବେ ସୋସିଆଲ୍ ମିଡିଆରେ ଶୋଭନ ଘୋଷଙ୍କର ଏହି ଫଟୋ ଭାଇରାଲ ହେଉଥିବା ବେଳେ, ସମସ୍ତେ ତାଙ୍କ ଜୋସକୁ ସଲାମ୍ କରୁଛନ୍ତି ଏବଂ ପ୍ରଂଶସା କରୁଛନ୍ତି ।

ସତରେ ସଙ୍କଟ ସମୟର ସାଥୀ ସାଜିଛନ୍ତି, ସମସ୍ତ ଡେଲିଭରି ବୟ । ପରିବାରକୁ ପର କରି ଆମମାନଙ୍କ ପାଖରେ ଠିକ ସମୟରେ ଖାଇବା ଏବଂ ସାମଗ୍ରୀ ପହଂଚାଇଦେଉଛନ୍ତି । ଡହଡହ ଖରା ନା ସେମାନଙ୍କ ଛୁଇଁ ପାରୁଛି ନା ବାଦଲଫଟା ବର୍ଷା ତାଙ୍କୁ ଭିଜେଇ ପାରୁଛି । ଦିନରାତି ଅହରହ ଲୋକଙ୍କ ପାଇଁ ସେମାନେ କାମ କରୁଛନ୍ତି । ସମସ୍ତ ଡେଲିଭରି ବୟଙ୍କୁ ସଲାମ ଜଣାଉଛି କନକ ନ୍ୟୁଜ୍ ।