ଭୁବନେଶ୍ୱର ଆସିଲା ସ୍ୱିଗି ବୟ : ପ୍ରେମ ପାଇଁ ନିଜେ ରଚିଥିଲା ଅପହରଣର ନାଟକ

438

କନକ ବ୍ୟୁରୋ : ନିଜେ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ପତିତପାବନ ପୃଷ୍ଟିଙ୍କୁ ମଧ୍ୟପ୍ରଦେଶରୁ ଆଜି ସକାଳେ ଭୁବନେଶ୍ୱର ଅଣାଯାଇଛି । ପ୍ରେମିକା ସହ ତାକୁ ଭୁବନେଶ୍ୱର ଅଣାଯାଇଛି । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା । ଜଣେ ଆଇଆଇସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ମଧ୍ୟପ୍ରଦେଶ ଯାଇଥିଲା । ପତିତପାବନ ପୃଷ୍ଟି ପ୍ରେମ ପାଇଁ ନିଜେ ରଚିଥିଲା ଅପହରଣର ନାଟକ । କିଡନାପ୍ କରାଯାଇଥିବା ନେଇ ସେ ତାଙ୍କ ପତ୍ନୀଙ୍କୁ ଅଡିଓ ମେସେଜ୍ ପଠାଇଥିଲା । ଅଡିଓ ମେସେଜରୁ ତାଙ୍କୁ ଅପହରଣ କରାଯାଇନଥିବା ପୋଲିସ ସନ୍ଦେହ କରିଥିଲା । ସେ ମଧ୍ୟପ୍ରଦେଶ ପଳାଇଥିବା ସନ୍ଦେହ କରି ମଧ୍ୟପ୍ରଦେଶ ଆରପିଏଫ୍ ସହ ଯୋଗାଯୋଗ କରିଥିଲା । ମଧ୍ୟପ୍ରଦେଶ ଆରପିଏଫ୍ ସହାୟତାରେ ପତିତପାବନ ଓ ତାଙ୍କ ସହ ଥିବା ଯୁବତୀକୁ ଅଟକ ରଖାଯାଯାଇଥିଲା ।

ସୂଚନାନୁସାରେ, କଲେଜରେ ପଢ଼ୁଥିବାବେଳେ ଚିକୁନ୍ ଦୁଇଜଣ ଯୁବତୀଙ୍କୁ ଏକା ସାଙ୍ଗରେ ପ୍ରେମ କରୁଥିଲା । ଯୁବତୀ ଦ୍ବୟ ଗୋଟିଏ କଲେଜରେ ଏକା ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଉ ବର୍ଷକ ତଳେ ଚିକୁନ୍ ସେମାନଙ୍କ ମଧ୍ୟରୁ ଜଣେ ଅହଲ୍ୟାଙ୍କୁ ପ୍ରେମ ବିବାହ କରିଥିଲା। ବିବାହ ପରେ ଚିକୁନ ଅହଲ୍ୟାଙ୍କ ସହ ଧଉଳି ଥାନା ଅଧୀନ ବିଜୟ ବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲା । ତେବେ ଚିକୁନ ପତ୍ନୀ ସହ ଏଠାରେ ରହୁଥିଲେ ମଧ୍ୟ ଗୋପ ଥାନା ବେଦପୁର ଗ୍ରାମରେ ରହୁଥିବା ଅହଲ୍ୟାଙ୍କ ସାଙ୍ଗ ତଥା ତା’ର ଦ୍ବିତୀୟ ପ୍ରେମିକାଙ୍କ ସହ ସଂପର୍କ ରଖିଥିଲା । ଅହଲ୍ୟା ଓ ତାଙ୍କ ଘର ଲୋକ ଏହା ଜାଣିବା ପରେ ବିରୋଧ ମଧ୍ୟ କରିଥିଲେ । କିନ୍ତୁ ଏହାର କିଛି ପ୍ରଭାବ ପଡ଼ି ନ ଥିଲା ଚିକୁନ୍ ଉପରେ । ପ୍ରେମିକାକୁ ନେଇ ପଳାଇବା‌ ପାଇଁ ଯୋଜନା କରିବା ପରେ ସ୍ତ୍ରୀ ଏବଂ ତାଙ୍କ ଘର ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଚିକୁନ ଅପହରଣର ଏଭଳି ଏକ ମିଛ ନାଟକ ରଚିଥିଲା । ଯୋଜନା ଅନୁଯାୟୀ ଗତ ୧୧ ତାରିଖ ଦିନ ଚିକୁନ ସୁନ୍ଦରପଦାରେ ଜଣେ ଗ୍ରାହକଙ୍କ ଖାଦ୍ୟ ଅର୍ଡର ଅଛି ବୋଲି ଘରେ ପତ୍ନୀଙ୍କୁ କହି ଯାଇଥିଲା ।

ଆଉ ରାତି ପ୍ରାୟ ୯ଟା ୪୫ରେ ଚିକୁନ ପତ୍ନୀଙ୍କୁ ଫୋନ୍ କରି କହିଥିଲା ଯେ ବାଟରେ ୪/୫ ଜଣ ଅସାମାଜିକ ଯୁବକ ବସିଛନ୍ତି, ମୋତେ ଡର ଲାଗୁଛି । ଏହାର କିଛି ସମୟ ପରେ ଅହଲ୍ୟାଙ୍କ ମୋବାଇଲ ଫୋନକୁ ତା’କୁ ଛୁରି ଭୁସି ଅଟୋଡାଲାରେ ଅପହରଣ କରିନିଆଯାଉଛି ବୋଲି ହ୍ବାଟ୍‌ସଆପ୍ ମେସେଜ୍ ପଠାଇଥିଲା । ଅପହରଣ କାହାଣୀକୁ ଅଧିକ ବିଶ୍ବାସଯୋଗ୍ୟ କରିବା ଲାଗି ସେ ତା’ର ଭାଇକୁ ଲିଙ୍ଗିପୁର ନିକଟରେ ଥିବା ନଦୀବନ୍ଧ ନିକଟକୁ ପଠାଇବାକୁ ‌କହିଥିଲା; ଯେଉଁଠି ସେ ଏକ ନିକାଞ୍ଚନ ରାସ୍ତାରେ ମିଛ କ୍ରାଇମ୍ ସ୍ପଟ୍ ତିଆରି କରିଥିଲା । ପିନ୍ଧିଥିବା ଗଞ୍ଜି ଚିରି ଦେଇଥିଲା, ଛୁରି, ପାଣିବୋତଲ, ମନିପର୍ସ ପକାଇଥିଲା । ପାଖରେ ୩୦ ହଜାର ଟଙ୍କା ଥିବାରୁ ଏଥିପାଇଁ ଦୁର୍ବୃତ୍ତ ଅପହରଣ କରିଥାଇ ପାରନ୍ତି ବୋଲି ପରିବାର ଲୋକଙ୍କୁ ଜଣାଇବାକୁ ଚାହିଁଥିଲା । ଏ ନେଇ ଧଉଳି ଥାନାରେ ଅପହରଣ ମାମଲା ରୁଜୁ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଥିଲା । କିନ୍ତୁ ଆରମ୍ଭରୁ ପୁଲିସର ସନ୍ଦେହ ହୋଇଥିଲା ।

ଗୋପ ଅଞ୍ଚଳର ଯୁବତୀ ନିଖୋଜ ନେଇ ଚିକୁନ୍ ନାଁରେ ଯେଉଁ ଅଭିଯୋଗ ଆସିବା ପରେ ତାହାର ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ । ଏପଟେ ଚିକୁନ୍‌ର ବାଇକ୍‌ ମିଳୁ ନ ଥିବାରୁ ପୁଲିସ ଏହାର ସନ୍ଧାନରେ ଥିଲା । ଯଦି ଅପହର୍ତ୍ତାମାନେ ଚିକୁନ୍‌କୁ ଡାଲା ଅଟୋରେ ଅପହରଣ କଲେ ତାହେଲେ ବାଇକ୍ ଗଲା କୁଆଡ଼େ ? ପୁଲିସ ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ୍ ଛାନଭିନ୍ କରିଥିଲା । ଏପରିକି ଷ୍ଟେସନରେ ବିଭିନ୍ନ ଟ୍ରେନର ଯାତ୍ରୀଙ୍କ ତାଲିକା ମଧ୍ୟ ଯାଞ୍ଚ କରିଥିଲା । ୧୧ ତ‌ାରିଖ ରାତିରେ ପୁଲିସ ପୁରୀରୁ ହରିଦ୍ବାର ଯାଇଥିବା କଳିଙ୍ଗ-ଉତ୍କଳ ଏକ୍ସପ୍ରେସର ଯାତ୍ରୀଙ୍କ ତାଲିକାରୁ ଜାଣିବାକୁ ପାଇଥିଲା ଯେ ଚିକୁନ ଓ ସଂପୃକ୍ତ ଯୁବତୀ ଏହି ଟ୍ରେନ୍‌ରେ ରିଜର୍ଭେସନ ଟିକଟ କିଣି ଯାତ୍ରା କରିଛନ୍ତି । ତେଣୁ ପୁଲିସ ତୁରନ୍ତ ମଧ୍ୟପ୍ରଦେଶର କଟନୀ ଷ୍ଟେସନ ଆରପିଏଫ୍ ଇନ୍ସପେକ୍ଟରଙ୍କୁ ଫୋନ୍ କରି ଏ ସଂପର୍କରେ ଜଣାଇଥିଲା । ସେଠାରେ ଟ୍ରେନ୍ ପହଞ୍ଚିବାକୁ ଆଉ ଅଧଘଣ୍ଟାଏ ସମୟ ଥିଲା । କମିସନରେଟ ପୁଲିସ ଠାରୁ ଖବର ପାଇବା ପରେ କଟନୀ ଷ୍ଟେସନ ଆରପିଏଫ୍ ଟିମ୍ ଟ୍ରେନରୁ ଚିକୁନ୍ ଓ ତାର ପ୍ରେମିକାକୁ ଧରିବାରେ ସକ୍ଷମ ହୋଇଥିଲା ।