କନକ ବ୍ୟୁରୋ : ଡେଲିଭରି ବଏଙ୍କ ସମୟସମୟରେ ଏମିତି କାହାଣୀ ସାମ୍ନାକୁ ଆସିଥାଏ ଯାହାକି ଆଖିରେ ଲୁହ ଭରି ଦେଇଥାଏ। ଏମିତି ବି ଡେଲିଭରି ବଏ ଅଛନ୍ତି ଯେଉଁମାନଙ୍କ ପାଖରେ ଗାଡ଼ି କି ସାଇକେଲ ଖଣ୍ଡିଏ ନାହିଁ ହେଲେ ବି ସେମାନେ ପାଦରେ ଚାଲିଚାଲି ଖରା,ବର୍ଷା ଓ ଶୀତରେ ଡିୟୁଟି କରିଥାଆନ୍ତି।
ନିକଟରେ ଏମିତି ଜଣେ ଡେଲିଭରି ବଏଙ୍କୁ ନେଇ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କୁ ଘରଘର ବୁଲି ଦିନସାର ଖାଦ୍ୟ ଡେଲିଭରି କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ସେ ତାଙ୍କର ଶିଶୁକୁ କାଖେଇ ଥିବାର ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳୁଛି। ସେ ଏପରି ଭାବେ ଶିଶୁକୁ କାଖେଇ କାଖେଇ ଖରା, ବର୍ଷା ଓ ଶୀତରେ ଦିନସାରା ଡିୟୁଟି କରନ୍ତି ବୋଲି ତାଙ୍କୁ ଜାଣିଥିବା ଲୋକେ କହିଛନ୍ତି।
ଏହି ଡେଲିଭରି ବଏ ହେଉଛନ୍ତି ଜୋମାଟୋର କର୍ମଚାରୀ। ଉକ୍ତ ଡେଲିଭରି ବଏଙ୍କ ଭିଡିଓ ସାମ୍ନାକୁ ଆସିବା ପରେ କମ୍ପାନି ସୋସିଆଲମିଡିଆ ବ୍ୟବହାରକାରୀଙ୍କୁ ସେହି ଡେଲିଭରି ବଏଙ୍କ ସମ୍ପୂର୍ଣ୍ଣ ଠିକଣା ମେସେଜ ବକ୍ସରେ ଦେବାକୁ ଅନୁରୋଧ କରିଛି। ଯଦ୍ବାରା ସେ ଉକ୍ତ ଡେଲିଭରି ବଏଙ୍କୁ କିଛିମାତ୍ରାରେ ସାହାଯ୍ୟ କରିପାରିବ।
ତେବେ ଏଇ ଘଟଣା ପୂର୍ବରୁ ସୋସିଆଲ ମିଡିଆରେ ଆଉ ଜଣେ ଡେଲିଭରି ବଏଙ୍କୁ ନେଇ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା, ଜଣେ ଜୋମାଟୋ ଡେଲିଭରି ବଏ କାମ ଶେଷ କରି ତାଙ୍କ ପତ୍ନୀ ଏବଂ ପିଲାଙ୍କ ସହ ଘରକୁ ଯାଉଛନ୍ତି। ଜୋମାଟୋ ଟି-ସାର୍ଟ ପିନ୍ଧିଥିବା ଯୁବକଜଣକ କୋଳରେ ନିଜ ସନ୍ତାନଙ୍କୁ ଧରିଥିବାବେଳେ ତାଙ୍କ ପତ୍ନୀ ସାଇକେଲ ଧରି ଚାଲୁଛନ୍ତି। ସାଇକେଲ ପଛରେ ଜୋମାଟୋର ଖାଦ୍ୟ ବିତରଣ ବ୍ୟାଗ ରଖାଯାଇଥିବା ଦେଖାଯାଇଛି। ମହିଳାଙ୍କ କାନ୍ଧରେ ଆଉ ଏକ ବ୍ୟାଗ ମଧ୍ୟ ରହିଛି। ପରିବାର ଏବଂ ପିଲାଙ୍କ ପାଇଁ ସାଙ୍ଗ ହୋଇ ପରିଶ୍ରମ କରୁଥିବା ସ୍ୱାମୀ-ସ୍ତ୍ରୀଙ୍କର ଏହି ଭିଡିଓ ଏବେ ଲୋକଙ୍କୁ ପସନ୍ଦ ଆସୁଥିବା ଦେଖାଯାଇଛି।