ଆଗକୁ ବଢୁଛି ମିଲେଟ ମିଶନ । ମାଲକାନଗିରିରେ ମିଲେଟ ମିଶନ ପକ୍ଷରୁ ଖୋଲିଲା ଫୁଡ ଷ୍ଟଲ । ସକାଳେ ମିଳୁଛି ମାଣ୍ଡିଆର ଇଡିଲି, ବରା, ପୁରୀ । ସନ୍ଧ୍ୟାରେ ପକୁଡି ଓ ମାଣ୍ଡିଆ ଚିକେନ ପକୋଡା ।

442

କନକ ବ୍ୟୁରୋ: ଆଦିବାସୀଙ୍କ ଅତି ପ୍ରିୟ ମାଣ୍ଡିଆକୁ ଲୋକପ୍ରିୟ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ପ୍ରଥମେ ମାଣ୍ଡିଆ ମଣ୍ଡି ପରେ ଏବେ ମିଲେଟ ମିଶନ ଓ ମିଶନ ଶକ୍ତି ମାଧ୍ୟମରେ ମାଣ୍ଡିଆ ତିଆରି ଟିଫିନ ଷ୍ଟଲ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆଉ ଏହି ମିଲେଟ ଶକ୍ତି ଷ୍ଟଲରେ ମିଳୁଛି ମାଣ୍ଡିଆ ତିଆରି ଇଡଲି, ବରା, ସିଙ୍ଗଡା ଠାରୁ ଆରମ୍ଭ କରି ମାଣ୍ଡିଆ ପକୁଡି ଓ ଚିକେନ ପକୋଡା । ଯାହାକୁ ଖାଇବାକୁ ଗ୍ରାହକଙ୍କ ଭିଡ ଜମିବା ସହ ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ।

ଅକ୍ଟୋବର ୨ ତାରିଖ ମାଲକାନଗିରି ଜିଲ୍ଲା ଗଠନର ୨୯ ବର୍ଷ ପୂର୍ତି ଅବସରରେ ଏହି ମିଲେଟ ଟିଫିନ ସେଂଟର ଆରମ୍ଭ ହୋଇଥିବା ବେଳେ ଏଠାରେ ମିଳୁଥିବା ମାଣ୍ଡିଆ ତିଆରି ବରା, ଇଡଲି, ପୁରୀ, ସିଙ୍ଗଡା, ଉପମା ସମେତ ରୋସଗଲା ଓ କାଙ୍ଗୁ କ୍ଷୀରି ଖାଇବାକୁ ଗ୍ରାହକଙ୍କ ଭିଡ଼ ଜମୁଛି । ବିଶେଷ କରି ସନ୍ଧ୍ୟା ସମୟରେ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଚିକେନ ପକୋଡା, କୋବି ପକୋଡା ଏବେ ଫାଷ୍ଟ ଫୁଡ ପ୍ରେମୀଙ୍କ ପ୍ରମୁଖ ପସନ୍ଦ ପାଲଟିଛି ।

ମାଲକାନଗିରି ପୌରାଂଚଳ ସ୍ଥିତ ସର୍କିଟ ହାଉସ ନିକଟରେ ଏହି ଷ୍ଟଲ ଶୁଭାରମ୍ଭ କରାଯାଇ ମାଆ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ଆଉ ମହିଳାମାନେ ମାଣ୍ଡିଆ ତିଆରି ସ୍ୱାଦିଷ୍ଟ ବ୍ୟଂଜନ ପ୍ରସ୍ତୁତ କରି ସକାଳ ଜଳଖିଆ ଯୋଗାଉଛନ୍ତିି । ସକାଳ ଜଳଖିଆରେ ପ୍ରସ୍ତୁତ ହେଉଛି ଇଡଲି, ଉପମା, ଚକୁଳି, ବରା, ପୁରୀ ଓ ସମୋସା ।
ଆଉ ପ୍ଲେଟ ପିଛା ଦାମ ରହିଛି ୨୦ ଟଙ୍କା ।

ସେହିପରି ସନ୍ଧ୍ୟା ସମୟରେ ମିଳୁଛି ଚିକେନ ପକୋଡା, କୋବି ପକୋଡ଼ା ଓ ରସଗୋଲା । ଦାମ ମଧ୍ୟ ପକେଟକୁ ସୁହାଇଲା ଭଳି । ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର କରିବାକୁ ଲକ୍ଷ ରଖିଛନ୍ତି ଏସଏଚଜି ଗ୍ରୁପର ମହିଳାମାନେ । ୱାସନ ନାମକ ଏକ ସଂସ୍ଥା ମାଣ୍ଡିଆ ତିଆରି ବିଭିନ୍ନ ବ୍ୟଂଜନ ଲାଗି ମହିଳାମାନଙ୍କୁ ତାଲିମ ପ୍ରଦାନ କରୁଛି ।

ମାଣ୍ଡିଆ ତିଆରି ଖାଦ୍ୟ କେବଳ ସ୍ୱାଦିଷ୍ଟ ନୁହେଁ, ଏଥିରେ ଅନ୍ୟ ଶସ୍ୟ ଅପେକ୍ଷା ଅଧିକ ଖାଦ୍ୟସାର । ପ୍ରଚୁର ପରିମାଣରେ ରହିଛି କ୍ୟାଲସିୟମ ଓ ଆଇରନ୍ । ତେଣୁ ଏହି ପୁଷ୍ଟିକର ଖାଦ୍ୟଶସ୍ୟକୁ ଲୋକଙ୍କ ପାଖକୁ ପହଁଚାଇବା ସହ ପାରମ୍ପରିକ ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇବା ଏବଂ ମିଶନ ଶକ୍ତି ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଳମ୍ବୀ କରିବା ଏହି ମିଲେଟ ଶକ୍ତି ଷ୍ଟଲର ଉଦ୍ଦେଶ୍ୟ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ।

ବିଶେଷ କରି ସ୍ୱାଭିମାନ ଅଂଚଳ ଓ ବଣ୍ଡା ଘାଟି ସହ ମାଲକାନଗିରି ଜିଲ୍ଲାରେ ପ୍ରାୟ ୮୦୦୦ ହେକ୍ଟର ଜମିରେ ପ୍ରଚୁର ପରିମାଣର ମାଣ୍ଡିଆ, ସୁଆଁ, କାଙ୍ଗୁ ଆଦି ଶସ୍ୟ ଉତ୍ପାଦନ ହୁଏ । ଆଉ ସ୍ୱତନ୍ତ୍ର ମଣ୍ଡି ଜରିଆରେ ୩୧୫୦ ଟଙ୍କା ପ୍ରତି କ୍ୱିଂଟାଲ ମୂଲ୍ୟରେ କ୍ରୟ କରୁଛି ପ୍ରଶାସନ । ସେପଟେ ପ୍ରଶାସନର ଉଦ୍ୟମ ଯୋଗୁଁ ମିଲେଟ ମିଶନ ସଫଳ ହେଉଛି ଏବଂ ସ୍ୱାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଏହାକୁ ଅଧିକ ଲୋକପ୍ରିୟ କରିବାକୁ ଆଗାମୀ ଦିନରେ ପ୍ରତି ବ୍ଲକରେ ମିଲେଟ ଶକ୍ତି ଷ୍ଟଲ ନିର୍ମାଣ କରିବାକୁ ଯୋଜନା କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ ।