ତେଜୁଛି କୃଷକ ଆନ୍ଦୋଳନ : ଦିଲ୍ଲୀର ପ୍ରମୁଖ ୩ ପ୍ରବେଶ ପଥ ସିଲ୍;  ଆଇନର କିଛି ପରିବର୍ତ୍ତନ ପାଇଁ ସଙ୍କେତ ଦେଲେ ସରକାର

128

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ତେଜୁଛି କୃଷକ ଆନ୍ଦୋଳନ । ନୂଆ କୃଷି ଆଇନ ବିରୋଧରେ ୯ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଦେଶର ଅନ୍ନଦାତା । ଦିଲ୍ଲୀର ୩ଟି ପ୍ରବେଶ ପଥରେ ରାସ୍ତା ଉପରେ ଅଡି ବସିଛନ୍ତି ଚାଷୀ । ଦିଲ୍ଲୀ ସୀମାରେ ବଢିଚାଲିଥିବା ଚାଷୀଙ୍କ ସଂଖ୍ୟାକୁ ଦେଖି ଛାନିଆ ହୋଇପଡିଥିବା ପୋଲିସ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ଦିଲ୍ଲୀର ସମସ୍ତ ପ୍ରବେଶ ପଥକୁ ସିଲ କରିଦିଆଯାଇଛି । ଏଥିପାଇଁ ଟ୍ରାଫିକ ଆଡଭାଇଜରି ଜାରି କରି ଦିଲ୍ଲୀକୁ ସଂଯୋଗ କରୁଥିବା ଅନେକ ରୁଟ୍କୁ ସିଲ କରିଦେଇଛି ପୋଲିସ ।

ମୁଖ୍ୟତଃ ଗାଜିପୁର, ସିଂଘୁ ଓ ଟିକରି ପ୍ରବେଶ ପଥକୁ ସାଧାରଣ ଟ୍ରାଫିକ ପାଇଁ ବନ୍ଦ କରିଦିଆଯାଇଛି । ଏହାସହ ଲାମ୍ପୁର, ଔଚଣ୍ଡି, ସାଫିଆବାଦ, ମନିୟାଲି, ସବୋରି ଓ ଝଡିଆ ସୀମାକୁ ସିଳ୍ କରିଦେଇଛି ପୋଲିସ । ସରକାରଙ୍କ ସହ ମାରାଥନ ବୈଠକ ପରେ ବି ସମାଧାନର ବାଟ ଫିଟିନାହିଁ । ଆସନ୍ତାକାଲି ସରକାରଙ୍କ ସହ ପଂଚମ ପର୍ଯ୍ୟାୟ ବୈଠକ ହେବାକୁ ଥିବା ବେଳେ ଆଜି କୃଷକଙ୍କ ଆଗାମୀ ରଣନୀତି ନେଇ ଆଲୋଚନା ହେବ । ଏହାରି ଭିତରେ ଚାଷୀଙ୍କ ଆନ୍ଦୋଳନକୁ ଆଖି ଆଗରେ ରଖି ଦିଲ୍ଲୀର ପ୍ରମୁଖ ପ୍ରବେଶପଥକୁ ସିଲ୍ କରିଦେଇଛି ପୋଲିସ ।