ଲକଡାଉନର ରୂପରେଖ ନେଇ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ କେଜ୍ରିୱାଲ ସରକାର : ବନ୍ଦ ରହିଛି ସ୍କୁଲ କଲେଜ, ନିର୍ମାଣ କାମ, ଚାଲିଛି ୱାର୍କ ଫ୍ରମ ହୋମ୍

ଧୀରେ ଧୀରେ କମୁଛି ଦିଲ୍ଲୀରେ ପ୍ରଦୂଷଣ; ସରକାରଙ୍କ ପଦକ୍ଷେପର ମିଳୁଛି ସୁଫଳ

61

କନକ ବ୍ୟୁରୋ : ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଦୂଷଣରୁ ମୁକୁଳିବା ପାଇଁ ଦିଲ୍ଲୀ ସରକାରଙ୍କୁ କିଛି ପରାମର୍ଶ ଦେଇପାରନ୍ତି ସୁପ୍ରିମକୋର୍ଟ । ପ୍ରଦୂଷଣ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଆବଶ୍ୟକ ପଡ଼ିଲେ ଲକଡାଉନ୍ ପରି ପଦକ୍ଷେପ ନେଇପାରିବେ ବୋଲି କହିଥିଲେ କୋର୍ଟ । ଏହା ପରେ କେଜରିୱାଲ ସରକାରଙ୍କ ପକ୍ଷରୁ ଜରୁରି ବୈଠକ ଡକାଯାଇଥିଲା । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ୧୭ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଛି ।

ପିଲାମାନେ ଅନ୍ଲାଇନରେ ପାଠ ପଢିବେ । ନିର୍ମାଣ କାମ ମଧ୍ୟ ବନ୍ଦ ରହିଛି । ସେହିପରି ଦିଲ୍ଲୀରେ ଲକ୍ଡାଉନ୍ ନେଇ ଚିନ୍ତା କରୁଛନ୍ତି ସରକାର । ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ଲକ୍ଡାଉନ୍ର ରୂପରେଖ ନେଇ ଜଣାଇବେ କେଜରିୱାଲ ସରକାର । ସରକାରଙ୍କ ପଦକ୍ଷେପ ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିଛି । ଶୁକ୍ରବାର ଦିଲ୍ଲୀର ଏୟାର କ୍ୱାଲିଟି ଇନ୍ଡେକ୍ସ-ଏକ୍ୟୁଆଇ ୪୭୧ ଥିବା ବେଳେ ରବିବାର ସୁଦ୍ଧା ଏହା ୩୩୦କୁ ଖସି ଆସିଛି ।

ତଥାପି ଏହା ଅତି ଖରାପ ସ୍ତରରେ ରହିଛି । କାରଣ ଏକ୍ୟୁଆଇ ୩୦୧ରୁ ୪୦୦ ମଧ୍ୟରେ ରହିଲେ ଏହାକୁ ଅତି ଖରାପ ସ୍ତର ବୋଲି ବିଚାର କରାଯିବ । ସେପଟେ ଏୟାର କ୍ୱାଲିଟି ମେନେଜମେଂଟ କମିଶନ ପଡୋଶୀ ରାଜ୍ୟ ଗୁଡ଼ିକୁ ମଧ୍ୟ ସମାନ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ହରିୟାଣା, ରାଜସ୍ଥାନ, ଉତରପ୍ରଦେଶରେ ନଡା ପୋଡି ଉପରେ ରୋକ୍ ଲଗାଇବା ସହ କିଛି ଦିନ ପାଇଁ ନିର୍ମାଣ କାମ ବନ୍ଦ କରିବାକୁ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଇଛି ।