କନକ ବ୍ୟୁରୋ: ଉତ୍ତର ଭାରତରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଦିଲ୍ଲୀ ସମେତ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାତର ବର୍ଷା ଜାରି ରହିଛି। ଏହାରି ଭିତରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ ହୋଇଛି।

Advertisment

ଦେଶର ରାଜଧାନୀ ପୁଣି ଥରେ ବର୍ଷାର ପ୍ରକୋପରେ ତ୍ରାହି ତ୍ରାହି ଡାକିଛି। ଭୀଷଣ ବର୍ଷା ଯୋଗୁଁ ଦିଲ୍ଲୀର ତଳିଆ ଅଂଚଳରେ ପାଣି ଜମିଛି । ରାଜରାସ୍ତା ପାଣିରେ ବୁଡ଼ିଯିବାରୁ ଟ୍ରାଫିକ ସମସ୍ୟା ବି ଦେଖା ଦେଇଛି । ବିଶେଷ କରି ଦିଲ୍ଲୀ ଗାଜିଆୱାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଭୀଷଣ ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି । ଗାଜିପୁର ସାପ୍ତାହିକ ବଜାର ଅଂଚଳରେ ମା-ପୁଅ ଡ୍ରେନରେ ଖସିପଡି ଆହତ ହୋଇଥିଲେ, ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଦିଲ୍ଲୀରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ବନ୍ଦ ରଖାଯାଇଛି।

ଉତ୍ତର ଭାରତରେ ପ୍ରକୃତି ସାଜିଛି ଦାଉ
ହିମାଚଳରେ ପ୍ରକୃତିର ତାଣ୍ଡବ
କେଦାରନାଥରେ ଫସିଲେ ଭକ୍ତ

ବାଦଲଫଟା ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର କୁଲୁ, ମଣ୍ଡି ଏବଂ ରାମପୁରରେ ବନ୍ୟା ସ୍ଥିତି। ବର୍ଷାରେ ଅନେକ ଘର ଧୋଇ ଯାଇଛି। ରାମପୁର ସମେଜ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି। କୁଲ୍ଲୁ ପାର୍ବତୀ ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର ସାମ୍ନାକୁ ଆସିଛି। ସେପଟେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି। କେଦାରନାଥକୁ ଯାଉଥିବା ମୁଖ୍ୟ ରାସ୍ତାର ୩୦ କିଲୋମିଟର ମନ୍ଦାକିନୀ ନଦୀର ବନ୍ୟା ପାଣିରେ ଗଭୀର ଭାବେ ପ୍ରଭାବିତ ହୋଇଛି। ଫଳରେ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଫସିରହିଛନ୍ତି। ଉତ୍ତରାଖଣ୍ଡ ସରକାର କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ୭ଟି ରାଜ୍ୟରେ ଏବେ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀ, ଉତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ବିହାରରେ ବନ୍ୟାଜନିତ କାରଣରୁ ଗୋଟିଏ ଦିନରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

ୱାଏନାଡ ଭସ୍ଖଳନରେ ବଢ଼ିଚାଲିଛି ମୃତ୍ୟୁସଂଖ୍ୟା
ଏବେବି ଜାରି ରହିଛି ଉଦ୍ଧାରକାର୍ଯ୍ୟ

କେରଳ ୱାୟନାଡ ଭୁସ୍ଖଳନ ପରେ ସେଠାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଟିକାଦୁଅ ଭିତରେ ଜୀବନର ସନ୍ଧାନରେ ଲାଗିପଡ଼ିଛନ୍ତି ସେନା ଓ ଏନଡିଆରଏଫ। ମୃତ୍ୟୁସଂଖ୍ୟା ୩ ଶହ ପାଖାପାଖି ପହଂଚିଲାଣି। ଏବେବି ୨ଶହରୁ ଅଧିକ ନିଖୋଜ ଅଛନ୍ତି। ପ୍ରଭାବିତଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି । ଭୁସ୍ଖଳନରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ ବିଚ୍ଛିନ ହେବା ଯୋଗୁଁ ଯୋଗାଯୋଗ ଓ ଯାତାୟତ ବେଶ ବାଧାପ୍ରାପ୍ତ ହୋଇପଡିଛି। ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୂସ୍ଖଳନ ଅଂଚଳ ପରିଦର୍ଶନ କରିଛନ୍ତି।